ପୁରୀ, ୬ ସେପ୍ଟେମ୍ବର (ହି.ସ.)- ପବିତ୍ର ଗୁରୁ ଦିବସ ଅବସରରେ ପୁରୀର ଆଗ୍ରଣୀ ନୃତ୍ଯାନୁଷ୍ଠାନ ଶ୍ରୀକଳା ନିକେତନ ତରଫରୁ ମରିଚିକୋଟ ଛକ ନିକଟସ୍ଥ ମଣିରାମ ମଠ ସନ୍ଥ ସମ୍ମିଳନୀ କକ୍ଷରେ ଗୁରୁ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯାପିକା ଓ ସୁନାମଧନ୍ୟା ଓଡିଶୀନୃତ୍ୟଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ଡଃ ରଜନୀକାନ୍ତ ନାୟକ (କଳାସଂସ୍କୃତି ଗବେଷକ), ମଣିରାମ ମଠର ମଠାଧିଶ ଶ୍ରୀଅଭିରାମ ଦାସଜୀ ମହାରାଜ ଯୋଗଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଗୁରୁ ରୋଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ସ୍ଵାମୀଜୀଙ୍କ କଳକମଳରେ ଡଃ ସ୍ନେହପ୍ରଭା ସାମନ୍ତରାୟ ଓ ଡଃ ରଜନୀକାନ୍ତ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ନୃତ୍ୟଶିଳ୍ପୀ ତେଜସ୍ବିନୀ, ସ୍ନେହାସ୍ନିଗ୍ଧା, ବିଶ୍ଵରୂପା, ଅବନ୍ତିକା ଓ ସ୍ନେହଲତା ନମାମି ନମାମୀ, ଶ୍ରୀକୃଷ୍ଣ ଗୋବିନ୍ଦ ହରେମୁରାରି ପରିବେଷଣ କରିଥିଲେ । ବରିଷ୍ଠ ନୃତ୍ୟଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କ ଅଭିଭାଷଣରେ ଓଡିଶୀନୃତ୍ୟ ପ୍ରତି ତାଙ୍କର ଅବଦାନ, ତାଙ୍କର ପ୍ରେରଣା ଦାୟୀ ପ୍ରୋତ୍ସାହନ ପିଲାମାନଙ୍କ ପାଇଁ ନୂତନ ଅବଦାନ ସହ ପିଲାମାନଙ୍କ ପାଇଁ ନୂତନ ପ୍ରେରନା ସୃଷ୍ଟି କରିପାରିଥିଲା । ଅନୁଷ୍ଠାନ ତରଫରୁ ଗୁରୁ ରୋଜାଲିନ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ | ବରିଷ୍ଠ କଳାକାର ଅନୁଷ୍ଠାନର ବିବରଣୀ ପ୍ରଦାନ କରିଥିଲେ । ଶେଷରେ ସମସ୍ତେ ଓଡିଶୀ ନୃତ୍ୟ ଉପଭୋଗ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ