କୋରେଇ, ୮ ସେପ୍ଟେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ଠାରେ ଆଜି ଅପରାହ୍ନ ସମୟରେ ଏକ ଦ୍ରୁତଗାମୀ ବାଇକ ଏକ ଅଜଣା ଗାଡ଼ି ପଛରେ ପିଟି ହୋଇଯିବା ଯୋଗୁଁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୂଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ପ୍ରକାଶଯେ ଭଦ୍ରକ ପଟୁ ଏକ ପଲସର ବାଇକ (ଓଡ଼ି୦୫ବିୱାଇ୨୬୬୬) ଦ୍ରୁତଗତିରେ ଆସି ସଠିପୁର ଓଭର ବ୍ରିଜ ଶେଷରେ ଏକ ଅଜଣା ଗାଡ଼ି ପଛରେ ଧକ୍କା ଦେଇଥିଲା। ଫଳରେ ଉକ୍ତ ବାଇକରେ ଥିବା ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ପଂହଚି ଗୁରୁତର ତିନି ଜଣକୁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରିଥିଲା। ମାତ୍ର ସେଠାରେ ଡ଼ାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଏବଂ ଅନ୍ୟ ଦୁଇ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତର ଖାନାକୁ ସ୍ଥାନନ୍ତରିତ କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିଥିବା ବେଳେ ଦୁର୍ଘଟଣାର ଆହତ ବ୍ୟକ୍ତି କଟକ ଯୋବ୍ରା ଅଂଚଳର ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ