ସୁବର୍ଣ୍ଣପୁର, ୦୮ ସେପ୍ଟେମ୍ବର(ହି.ସ.) – ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଆଜି ଭୋର ସକାଳେ ଚନ୍ଦ୍ରଗ୍ରହଣ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବୁଡ଼ ପକାଇଛନ୍ତି । ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ହେଉ ଏହି ସମୟରେ ଉକ୍ତ ପୀଠକୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବୁଡ଼ ପକାଇବା ପାଇଁ ଆସିଥାନ୍ତି ।କିମ୍ବଦନ୍ତୀ ଅନୁସାରେ ଦ୍ୱିତୀୟ ଅନଙ୍ଗ ଭିମଦେବ ଯେତେବେଳେ ଦୁରାରୋଗ୍ୟରେ ପୀଡ଼ିତ ହେଲେ ସେତେବେଳେ ମହାପ୍ରଭୁଙ୍କ ସ୍ୱପାନାବେଶ ପାଇ ନଦୀ କୂଳେ କୂଳେ ପରିଭ୍ରମଣ କରି ପ୍ରତି ୪କୋଷରେ ମନ୍ଦିର ତିଆରି କଲେ। ଶେଷରେ ରହିଲା ସ୍ଥିତ ଏହିଠାରେ ରାତ୍ରୀ ଯାପନ କରିଥିଲେ। ସକାଳେ ଏକ କାଳୀଗାଈ ନଦୀର ଅଟାଲତାଲ ପାଣିରେ ପାରି ହୋଇଥିଲା ରାଜା ତାକୁ ନିରୀକ୍ଷଣ କରି ତା ପଛେ ପଛେ ଯାଇଥିଲେ। ପରେ ରାଜା ମହାନଦୀରେ ସ୍ନାନ କରିବା ପରେ ତାଙ୍କର ଦୁରାରୋଗ୍ୟ ଦେହରୁ ଉଭେଇ ଯାଇଥିଲା। ଯାହା ଫଳରେ ସେହିଦିନ ଠାରୁ ଏହି ଘାଟ ପାପକ୍ଷୟ ନାମରେ ନାମିତ ହୋଇଥିବାରୁ ଏବଂ ଲୋକଙ୍କ ବିଶ୍ୱାସ ରହିଥିବାରୁ ପାପକ୍ଷୟ ପାଇଁ ଏହି ଘାଟକୁ ସ୍ନାନ ପାଇଁ ଆସି ନିକଟ ବଟବୃକ୍ଷ ଅର୍ଗଲିରେ ଗଲିଥାନ୍ତି। ଏଥର ଭିଡ ଦୃଷ୍ଟିରୁ ଭକ୍ତଙ୍କ ସୁରକ୍ଷା ପାଇଁ ଏନଏଏସି ପ୍ରଶାସନ, ପୋଲିସ ବାହିନୀ, ଡାକ୍ତରୀ ଟିମ, ଅଗ୍ନିଶମ ବାହିନୀ ଏବଂ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଓଡ୍ରାଫ୍ଟ ଟିମ ସଜାଗ ରହିଥିଲେ। ମହିଳାଙ୍କ ସ୍ନାନ ଓ ପୋଷାକ ବଦଳାଇବା ନେଇ ଅସ୍ଥାୟୀ ଭାବେ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଥିଲା। ହେଲେ ଶୌଚାଳୟ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଏତେ ପ୍ରଶାସନିକ ସ୍ତରରେ ଏତେ ସୁରକ୍ଷା ମଧ୍ୟରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ରଡ଼ବାହାଲ ଗ୍ରାମରୁ ଏକ ୱିଙ୍ଗର ଗାଡ଼ିରେ ପ୍ରାୟ ୨୦ଜଣ ମହିଳା ଏହି ପୁଣ୍ୟପୀଠକୁ ବୁଡ଼ ପକାଇବା ପାଇଁ ଆସିଥିଲେ। ବୁଡ଼ ପକାଇବା ସମୟରେ ଗାଡ଼ି ଚାଲକଙ୍କ ପ୍ୟାଂଟ, ସାର୍ଟ କେହି ଦୃର୍ବୁତ ନେଇ ଫେରାର ହୋଇଯାଇଛି। ଯାହାକି ସେହି ପ୍ୟାଂଟରେ ନଗଦ ୧୫ହଜାର, ୪୦ହଜାର ମୋବାଇଲ୍ ଫୋନ ଓ ଗାଡ଼ି ଚାବି ରହିଥିଲା। ଫଳରେ ଉକ୍ତ ଗାଡ଼ି ସହିତ ଏଥିରେ ଆସିଥିବା ମହିଳାମାନେ ଖବର ଲେଖା ହେବା ପର୍ଯ୍ୟନ୍ତ ନିଜ ଗ୍ରାମକୁ ଯାଇପାରୁ ନାହାଁନ୍ତି। ଏନେଇ ସେମାନେ ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅନ୍ୟ ପକ୍ଷରେ ବିନିକା ଠାରୁ ୩କିମି ଏହି ପୀଠକୁ ଯାଇଥିବା ରାସ୍ତାଟି ଖାଲ ଖମାରେ ପରିପୂର୍ଣ୍ଣ। ଯାଉଥିବା ଗାଡ଼ି ଗୁଡିକ ହାତୀ ଝୁଲିଲା ପରି ଯାଉଥିବା ଦେଖିବାକୁ ମିଳିଥିଲା। ରାସ୍ତାର ଅବସ୍ଥା ନେଇ ମଧ୍ୟ ପର୍ଯ୍ୟଟକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ତେବେ ସେ ଯାହା ବି ହେଉ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବହନ କରି ଆସିଥିବା ଏହି ପୁଣ୍ୟପୀଠରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର ରହିଥିବାରୁ ଦର୍ଶନ ନିମନ୍ତେ ଏବଂ ପାପରୁ ମୁକ୍ତି ପାଇଁ ପାପକ୍ଷୟ ଘାଟରେ ବୁଡ଼ ପକାଇବା ପାଇଁ ନୀତି ପ୍ରତିଦିନ ଶହ ଶହ ମାତ୍ରାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନ ହେଉଛି। ସେମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ସାଙ୍ଗକୁ ତାଙ୍କର ସୁରକ୍ଷା ପାଇଁ ପୀଠ ପରିସରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇବାକୁ ଅଂଚଳର ଜନସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ