ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ବାରିପଦା ସହରର ରାସ୍ତା ଖାଲଖମାର ଭରି ବିପର୍ଯ୍ୟସ୍ତ ହୋଇପଡିଛି। ଯାହାର ମରାମତି କାର୍ଯ୍ୟ ନହେବାରୁ ବାରିପଦା ସହରବାସୀ ନାନାଦି ସମସ୍ୟାରେ ଧନ୍ଧି ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସହରର ସମସ୍ତ ରାସ୍ତା ନଷ୍ଟ ହୋଇଥିବାରୁ ଚଳପ୍ରଚଳ କରିବା ଯନ୍ତ୍ରଣା ଦାୟକ ସାଜିଛି। ତେବେ ଦୁର୍ଗା ପୂଜା ପୂର୍ବରୁ ଉକ୍ତ ରାସ୍ତା ଗୁଡ଼ିକ ମରାମତି କାର୍ଯ୍ୟ ସମ୍ପର୍ଣ୍ଣ କରିବା ପାଇଁ ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରୋହନ ଗୌରବ ରାୟଙ୍କୁ ପତ୍ର ଯୋଗେ ଜଣାଇଛନ୍ତି। ବାରିପଦା ସହର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ଗୁଡ଼ିକରେ ଦୁରାବସ୍ଥା ଦେଖିବାକୁ ମିଳୁଛି। ଗତ ୫ମାସ ଧରି ଲଗାଣ ବର୍ଷା ଯୋଗୁଁ ସହରର ରାସ୍ତା ଅବସ୍ଥା ବେହାଲ ହୋଇଛି। ରାସ୍ତାରୁ ପିଚୁ ଉଠି ଖାଲ ଖମାରରେ ଭର୍ତି ହୋଇଯାଇଛି। ଏହା ସହିତ ଉକ୍ତ ରାସ୍ତାରେ ପ୍ରଚୁର ମାତ୍ରାରେ ଧୂଳି ଉଡି ବାୟୁ ପ୍ରଦୂଷଣ ମଧ୍ୟ ହେଉଛି। ବର୍ତମାନ ପରିସ୍ଥିତି ଏହିପରି ହୋଇଛି ଲୋକେ ଉକ୍ତ ରାସ୍ତାରେ ଗାଡି ମୋଟର ନେଇ ଯିବାକୁ ଭୟ କରୁଛନ୍ତି। ଅନେକ ସମୟରେ ଖାଲ ଖମାର ଯୋଗୁଁ ଦୁର୍ଘଟଣା ହୋଇ ଲୋକେ ଖଣ୍ଡିଆ ଖାବରା ହେବାର ମଧ୍ୟ ନଜିର ରହିଛି। ପାବର୍ଣ ସମୟ ଥିବା ବେଳେ ଆଗକୁ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟାଳୟ ବାରିପଦା ସହର ହୋଇଥବାରୁ ଅନେକ ଲୋକଙ୍କ ସମାଗମ ହେବ। କିନ୍ତୁ ରାସ୍ତା ଗୁଡିକର ବିପର?୍ୟ୍ୟସ୍ତ ଅବସ୍ଥା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ସହରର ଅଧିକାଂଶ ରାସ୍ତା ଗୁଡ଼ିକ ପୂର୍ତ ବିଭାଗ (ରାସ୍ତା ଓ ଗୃହ ନିର୍ମାଣ) ଅଧିନରେ ରହିଥିବା ବେଳେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫ମାସ ମଧ୍ୟରେ ରାସ୍ତା ରକ୍ଷଣାବେକ୍ଷଣ ହୋଇନଥିବାରୁ ରାସ୍ତା ନଷ୍ଟ ହୋଇ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହୋଇଛି। ସହରବାସୀ ବାଧ୍ୟ ହୋଇ ଖାଲଢିପ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଉକ୍ତ ରାସ୍ତାର ଖାଲ ଖମାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଦୀର୍ଘଦିନ ଧରି ଏମିତି ଯନ୍ତ୍ରଣାଦାୟକ ଯାତାୟାତ ସ୍ଥାନୀୟ ଲୋକ ମାନେ କରୁଛନ୍ତି। ପୂଜା ସମୟରେ ଧକଡ଼ ଚକଡ଼ ରାସ୍ତାରେ ଗାଡି ନେଇ ଚଳପ୍ରଚଳ କରିବା ଯନ୍ତ୍ରଣା ଦାୟକ ସାଜିବ। ତେଣୁକରି ବାରିପଦା ସହର ୮ଟି ମୁଖ୍ୟ ରାସ୍ତାର ତୁରନ୍ତ ମରାମତି କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ସେଗୁଡିକ ହେଲା ମୁର୍ଗାବାଡ଼ିରୁ ପାଲବଣି, ମଧୁସୂଦନ ଗୋଳେଇରୁ ହସ୍ପିଟାଲ, ସତ୍ୟସାଇ ଛକରୁ ଦାରୋଗାଡାହି, ମଧୁସୂଦନ ଗୋଳେଇରୁ ବେଳଗଡ଼ିଆ, ଦାରୋଗାଡାହି ଗୋଳେଇରୁ ରଘୁନାଥପୁର, କୃଷ୍ଣଚନ୍ଦ୍ର ଗୋଳେଇରୁ ସୁନାମୁହିଁ, ଆଶୀର୍ବାଦ ଛକରୁ କରତବସା ଏବଂ ଜୁବଳୀ ଲାଇବ୍ରେରୀରୁ ତୁଳସୀଚୌରା ଦେଇ ଏମଏସସିବି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଗୁଡ଼ିକ ମରାମତି କାର୍ଯ୍ୟ କରିବାକୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ