କୋରେଇ, ୮ ସେପ୍ଟେମ୍ବର (ହି.ସ.) - ଗତ ମାର୍ଚ୍ଚ ୨୦୧୩ ମସିହାରେ ପୁର୍ବତନ ରାଜ୍ୟ ସରକାଙ୍କ ସମୟରେ ପ୍ରତ୍ୟେକ ଥାନା ଓ ଜନସାଧାରଣଙ୍କ ମଧ୍ୟରେ ଉତମ ସର୍ମ୍ପକ ସ୍ଥାପନ କରିବା ଲାଗି ଆମ ପୁଲିସ ସମିତି ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଜନସାଧାରଣଙ୍କ ସମଯୋଗରେ ପୁଲିସ ଅପରାଧ ନିୟନ୍ତ୍ରଣ କରିବା ସହିତ ସ୍ଥାନୀୟ ଅଂଚଳରେ ସାମାଜିକ କାର୍ଯ୍ୟ,ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଜନସାଧାରଣଙ୍କ ସହାୟତାରେ ଡ଼ାକ୍ତରଖାନାକୁ ସ୍ଥାନନ୍ତର କରିବା,ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଫଳରେ ଆମ ପୁଲିସର ସଦସ୍ୟ ମାନେ ପୁଲିସ ସହିତ ଉତମ ଯୋଗାଯୋଗ ରଖି ଅପରାଧ ନିୟନ୍ତ୍ରଣ କରିପାରୁଥିଲେ। ଆରମ୍ଭରୁ କିନ୍ତୁ ଉକ୍ତ ଯୋଜନାଟି ବେଶ ଆଦୃତ ହୋଇଥିବା ବେଳେ କିଛି ବର୍ଷ ପରେ ଏହା ଉପରେ ଆଉ ସରକାର କିମ୍ବା ପ୍ରଶାସନ ଗୁରୁତ୍ୱ ଦେଲେ ନାହିଁ । ଫଳରେ ଅପରାଧ ବଢି ଚାଲିଲା। ତେବେ ପାଣିକୋଇଲି ଥାନାରେ ରବିବାର ଦିନ ସଂଧ୍ୟାରେ ଥାନା ପରିସରରେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଥାନାଧିକାରୀ ରଂଜିତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ସ୍ଥାନୀୟ ବୁଦ୍ଧିଜିବୀ ,ବରିଷ୍ଠ ନାଗରିକ ମଂଚ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ଅଂଶଗ୍ରହଣ କରି ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ଯଥା ଟ୍ରାଫିକ ନିୟନ୍ତ୍ରଣ,ବେଆଇନ ପାର୍କିଂ ଆଦି ବିଷୟରେ ଆଲୋଚନା ହୋଇଥିଲା। ତେବେ ରାଜପଥ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ଥାନାଧିକାରୀ ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳାଇ ସଦସ୍ୟ ରାମଚନ୍ଦ୍ର ବେହେରା, ସାମ୍ବାଦିକ ସୁବାସ ଧଳ ମାନସ ରଂଜନ ଧଳ, ତାରିଣୀ କୁମାର ପଟ୍ଟନାୟକ.ପ୍ରଦୀପ ମାଝୀ, ,ମନୋଜ କୁମାର ସାହୁ, ତୁଷାରକାନ୍ତ ବେଉରା, ସାମାଜିକ କର୍ମୀ ଅକ୍ଷୟ କୁମାର ଜେନା, ଶଶୀକାନ୍ତ ମଲିକ, ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ, ହରେକୃଷ୍ଣ ସାହୁ, ମନ୍ମଥ ପଣ୍ଡା,ଶିବ ପ୍ରସାଦ ପରିଡ଼ା, ଅରକ୍ଷିତ ପାତ୍ର. ବିଶ୍ୱଜିତ ଦାସ ଏବଂ ସ୍ଥାନୀୟ ବ୍ୟକ୍ତି ଦୋଳ ଗୋବିନ୍ଦ ସେଠୀ ଓ ଦେବକୀ ମୁଣ୍ଡା ଯୋଗ ଦେଇଥିଲେ। ଶେଷରେ ସବଇନିସପେକ୍ଟର ପ୍ରଶାନ୍ତ କୁୂମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦୀର୍ଘଦିନ ପରେ ଥାନାଧିକାରୀ ଏଭଳି ଏକ ବୈଠକ ଡ଼ାକିଥିବାରୁ ସମସ୍ତ ବ୍ୟକ୍ତି ମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ