ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନ୍ତର୍ଗତ ଚଳିତ ଆର୍ôଥକ ବର୍ଷର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ପୁଙ୍ଖାନୁପୁଖ ଆଲୋଚନା କରଯାଇଛି। ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ସେମାନଙ୍କୁ ସହଯୋଗ କରିବାକୁ ୨୫ ଜଣ ଅଧିକାରୀ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ। ଆସନ୍ତା ସେପ୍େଟମ୍ବର ୧୦ରୁ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ଷ୍ଟେସନରୁ ବାହାରି ଅଯୋଧ୍ୟା ଓ ବାରଣାସୀ ଦର୍ଶନ କରି ସେପ୍େଟମ୍ବର ୧୫ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ।
ଏହି ପ୍ରସ୍ତୁତି ବୈଠକରେ ତୀର୍ଥଯାତ୍ରାରେ ସାମିଲ ହେଉଥିବା ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା,ଖାଦ୍ୟପେୟ, ସ୍ୱାସ୍ଥ୍ୟ ଆଦି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ସଂପୃକ୍ତ ତୀର୍ଥଯାତ୍ରୀମାନେ ସେପ୍େଟମ୍ବର ୯ ତାରିଖରେ ସେମାନଙ୍କ ଜିଲ୍ଲାରୁ ବାହାରି ଭୁବନେଶ୍ୱରରେ ପହଂଚିବେ । ସେମାନଙ୍କ ନିମନ୍ତେ ଭୁବନେଶ୍ୱରର ୫ଟି ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅସ୍ଥାୟୀ ରହଣି ସ୍ଥଳର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ଏବଂ ବାଳକ ଉଚ୍ଚ ବିଦ୍ୟାଳୟ, ଭାରତ ସ୍କାଉଟ୍ସ ଓ ଗାଇଡ଼ସ, ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ରହଣି ସ୍ଥଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଯାଂଚ, ଖାଦ୍ୟ,ପାନୀୟ, ଶୌଚାଳୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏତଦବ୍ୟତୀତ ପ୍ରତ୍ୟେକ କେନ୍ଦ୍ରରେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥି ନିମନ୍ତେ ସୂଚାରୁ ରୂପେ ନିଜ କର୍ତବ୍ୟ ପାଳନ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ପର୍ଯ୍ୟଟନ ସହନିର୍ଦ୍ଦେଶକ ଅଞ୍ଜନ କୁମାର ବାରିକ, ଖୋର୍ଦ୍ଧା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ମୀରା ବେହେରା, ପୁଲିସ, ଅଗ୍ନିଶମ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା