ଭୁବନେଶ୍ୱର, ୦୯ ସେପ୍ଟେମ୍ବର (ହି.ସ)- ଆଗକୁ ପୂଜା ଅଛି। ପୂଜା ମଣ୍ଡପ ମାନଙ୍କରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି। ଅନ୍ୟପକ୍ଷରେ ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜି ୱାଇ. ବି ଖୁରାନିଆ ପରାମର୍ଶ ଦେଇଛନ୍ତି। ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ଏସପିଙ୍କୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମହିଳା ସମ୍ପର୍କିତ ମାମଲାରେ କିଭଳି ଅଧିକରୁ ଅଧିକ ପ୍ରତିଶତ ଦଣ୍ଡ ବିଧାନ ହୋଇପାରିବ ତାହା ଉପରେ ଧ୍ୟାନ ଦେବାକୁ ମଧ୍ୟ ସମସ୍ତ ପୋଲିସ ଅଫିସରଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ଡିଜି କହିଛନ୍ତି ଭୁବନେଶ୍ୱର ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସହର। ଏଭଳି ସବୁ ସହରରେ ମହିଳା କିଭଳି ସୁରକ୍ଷିତ ମଣିବେ ସେ ନେଇ ପୋଲିସ କାର୍ଯ୍ୟ କରିବା ଉଚିତ୍ । ଅପରପକ୍ଷରେ ରାଜ୍ୟର ସୁରକ୍ଷା ଦିଗରେ ବଡ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ପୋଲିସ। ପୋଲିସର ଆଧୁନିକୀକରଣ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସାରା ରାଜ୍ୟରେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ସ୍ଥାୟୀ ଭାବେ ସିସିଟିଭି ଲାଗିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସବୁଠୁ ଫୋକସ ରେ ରହିବ ପୁରୀ। ଯେଉଁଥି ପାଇଁ ୧୦୦ କୋଟି ଟଙ୍କା ବିନିମୟରେ ଭୁବନେଶ୍ୱର ଉତରା ଠାରୁ ପୁରୀ ଓ କୋଣାର୍କର ରାସ୍ତାରେ ସ୍ଥାୟୀ ଭାବେ ସିସିଟିଭି ଲଗାଇବା ଯୋଜନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା