
ରାଇରଙ୍ଗପୁର, ୧ ଜାନୁଆରୀ (ହି.ସ.)- ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ, ରାଇରଙ୍ଗପୁରଙ୍କ ଆନୁକୂଲ୍ୟରେ ଆଜି ସକାଳ ୮ଟା ୩୦ ମିନିଟ୍ ସମୟରେ ରାଇରଙ୍ଗପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ମାସ ପାଳନ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ ଏବଂ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଉପସ୍ଥିତ ସମସ୍ତେ ସଡ଼କ ସୁରକ୍ଷା ସମ୍ଭନ୍ଧୀୟ ସଡ଼କ ରେ ଯାତାୟାତ କରିବା ସମୟରେ ଟ୍ରାଫିକ ନିୟମକୁ ଅନୁପାଳନ କରିବା ନେଇ ଶପଥ ପାଠ କରିଥିଲେ । ଏହି ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ଶୋଭାଯାତ୍ରାକୁ ନିମନ୍ତ୍ରିତ ଅତିଥି ବୃନ୍ଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ଶୋଭାଯାତ୍ରା ସହରର ବିଭିନ୍ନ ଅଂଚଳ ରେ ପରିକ୍ରମା କରି ଟ୍ରାଫିକ ସିଗନାଲ ଏବଂ ନିୟମକୁ କଡାକଡ଼ି ମାନି ସୁରକ୍ଷିତ ଢଙ୍ଗରେ ଗାଡି ଚାଳନା କରି ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷା ଓ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ସଚେତନତା ବାର୍ତା ପହଂଚାଇ ଥିଲେ । ବିଶେଷ କରି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା ନକରିବା, ଅତ୍ୟଧିକ ଦ୍ରୁତ ଗତିରେ ଗାଡି ନଚଳାଇବା, ପିତାମାତା ମାନେ ସେମାନଙ୍କର କିଶୋର କିଶୋରୀ ବୟସର ପିଲାମାନଙ୍କୁ ଗାଡି ଚାଳନାରୁ ନିବୃତ ରଖିବା, ଦୁଇ ଚକିଆ ଯାନ ଚାଳନା ସମୟରେ ଚାଳନାକାରି ସହିତ ଗାଡି ପଛରେ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ତଥା ଦୁଇ ଚକିଆ ଯାନରେ ତିନି ଜଣ ବସି ଗାଡି ଚାଳନା ନକରିବା, ଚାରିଚକିଆ ଯାନରେ ଗାଡି ଚାଳନା ସମୟରେ ଡ୍ରାଇଭର ସମେତ ସମ୍ମୁଖରେ ବସିଥିବା ଲୋକ ସିଟବେଲ୍ଟ ବ୍ୟବହାର କରିବା, ମଦ୍ୟ ପାନ କରି ନିଶାଶକ୍ତ ହୋଇ ଗାଡି ନଚଳେଇବା, ଦ୍ରୁତ ଗତିରେ ଓଭରଟେକ ନକରିବା, ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ଗାଡି ଚାଳନା ସମୟ ରେ ଜେବ୍ରା କ୍ରସିଂ ବ୍ୟତୀତ ରାସ୍ତାର ଅନ୍ୟ ସ୍ଥାନରେ ରାସ୍ତା ପାର୍ ନହେବା, ଗାଡିରେ ପରିବହନ ପାଇଁ ଧାର୍ଯ୍ୟ ହୋଇଥିବା ଯାତ୍ରୀଙ୍କ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନେବା ଆଣିବା ନକରିବା, ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ନିକଟରେ ଗାଡି ଚାଳନା କରି ଅତିକ୍ରମ କରିବା ସମୟରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ତଥା ଗାଡିର କାଗଜପତ୍ର ଯଥା ଆର.ସି. ବୁକ, ପ୍ରଦୂଷଣ ସାର୍ଟିଫିକେଟ, ଇନ୍ସୁରାନ୍ସ ଇତ୍ୟାଦି ଉଚିତ୍ ସମୟରେ ନବୀକରଣ କରି ଅଧୁନାତନ କରେଇବା, ଗାଡିର ବ୍ରେକ, ଇଣ୍ଡିକେଟର ହର୍ଣ୍ଣ ଇତ୍ୟାଦି ଠିକ ଭାବେ କାର୍ଯ୍ୟକ୍ଷମ ସ୍ଥିତି ରେ ରଖିବା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ବିପଦ ମୁକ୍ତ ଜୀବନ ବଂଚିବା ପାଇଁ ଏହି ସଚେତନତା ଶୋଭାଯାତ୍ରା ମାଧ୍ୟମରେ ପରାମର୍ଶ ଦିଆଯିବା ସହିତ ଉକ୍ତ ନିୟମର ଉଲ୍ଲଘଂନରେ ଏହାର ଆଇନ ଗତ କାର୍ଯ୍ୟାନୁଷ୍ଠାନ ତଥା ଆର୍ଥିକ ଜୋରିମାନା ପ୍ରବଧାନ ସମ୍ଭନ୍ଧରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଇଥିଲେ ।
ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଲୋକମାନଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କ ରେ ସଚେତନତା ବାର୍ତା ପହଂଚାଇବା ସହ ଦୁର୍ଘଟଣାଜନିତ ମୃତ୍ୟୁକୁ ଶୂନ୍ୟ ହାସଲ କରିବାପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ଆଂଚଳିକ ପରିବହନ ଅଧିକାରିଣୀ ପ୍ରକାଶ କରିଥିଲେ ।
ଆଜିର ଅନୁଷ୍ଠିତଏହି ରାଲିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ, ରାଇରଙ୍ଗପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଟ୍ରକ ମାଲିକ ସଂଘ, ଅଟୋ ମାଲିକ ସଂଘ ସମେତ ଆଂଚଳିକ ପରିବହନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତି ରହି ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ