
Odisha, 02 ଜାନୁଆରି (ହି.ସ.)ଖୋର୍ଦ୍ଧା,ମହାପୁରୁଷଙ୍କ ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଭବିଷ୍ୟତର ଉତ୍ତର ପୀଢ଼ିଙ୍କୁ ଅବଗତ କରିବାକୁ ହେଲେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରପୋୖତ୍ର ତଥା ଖ୍ୟାତନାମା କବି, ଲେଖକ ପ୍ରଫେସର ମଣୀନ୍ଦ୍ରକୁମାର ମେହେର ଆହ୍ବାନ ଦେଇଛନ୍ତି। ଓଡ଼ିଆ ସାହିତ୍ୟ ଏକାଡ଼େମୀ ଓ ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ୧୧୦ ତମ ଜୟନ୍ତୀ ପରିପ୍ରେକ୍ଷୀରେ ‘ଓଡ଼ିଆ ସାହିତ୍ୟକୁ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ଅବଦାନ’ ଶୀର୍ଷକ ସମ୍ପାନରେ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ପ୍ରଫେସର ମେହେର ତାଙ୍କ ପଣିବାପା ଗଙ୍ଗାଧରଙ୍କ ସ୍ମୃତିଚାରଣ କରିବା ସହ ପଣ୍ଡିତ ମିଶ୍ରଙ୍କ ଦ୍ବାରା ଲିଖିତ ‘ଚିଲିକା ଦର୍ଶନ’, ‘ପୁଣ୍ୟଶ୍ଲୋକ’, ‘ଭୋଟରଭାବନା’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ । ବରେଣ୍ୟ ଅତିଥି ରୂପେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ଗୋପାଳକୃଷ୍ଣ ଦାସ ଯୋଗଦେଇ ରାଧାନାଥ ଓ ଗୋପବନ୍ଧୁ ‘ଚିଲିକା’ ସମ୍ପର୍କରେ ଲେଖିଥିବାବେଳେ ପଣ୍ଡିତ ନାରାୟଣ ସେଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼.ବୃନ୍ଦାବନ ପଣ୍ଡା ଓ ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ପ୍ରମୁଖ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ବାଣୀଭଣ୍ଡାରକୁ ଯେଉଁ ମହାର୍ଘ୍ୟ କାବ୍ୟ ଦାନ କରିଯାଇଛନ୍ତି, ସେ ସମ୍ପର୍କରେ ଅବତାରଣା କରିଥିଲେ। ମୁଖ୍ୟବକ୍ତା ରୂପେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଡ଼.ଗୁରୁପ୍ରସାଦ ମହାପାତ୍ର ଯୋଗଦେଇ ପଣ୍ଡିତ ମିଶ୍ରଙ୍କ କାବ୍ୟାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଏହି କାଳଜୟୀ କାବ୍ୟ ଯେଭଳି ପ୍ରତିଟି ସ୍ତରର ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥିନେଇ ଆଲୋକପାତ କରିଥିଲେ। ସଭାମୁଖ୍ୟ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜବାହାରଲାଲ ସୁୁବୁଦ୍ଧି ଏଥିରେ ଅଧ୍ୟକ୍ଷତା କରି ପଣ୍ଡିତ ମିଶ୍ରଙ୍କ ଠାରେ ସ୍ବାଧୀନତା ସଂଗ୍ରାମ, ସାହିତ୍ୟ ସାଧନା ଓ ସମାଜସେବା ଆଦି ମହାନ୍ ପ୍ରତିଭା ଦେଖିବାକୁ ମିଳିଥିଲା ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କୁ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ଆମରିସତ୍ୟର ପ୍ରତିଷ୍ଠାତା ଡ଼.ପ୍ରମୋଦଚନ୍ଦ୍ର ଦାଶ, ଆଡ଼ଭୋକେଟ ନୃସିଂହନାଥ ମିଶ୍ର, ବିଜେପି ନେତା ରାଜୀବଲୋଚନ ଷଡ଼ଙ୍ଗୀ, ସମାଜସେବୀ ଇତିଶ୍ରୀ ସାହୁ, ସାମ୍ବାଦିକ ପ୍ରଦୀପ ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡ଼.ଚପଳା ପଣ୍ଡା, ବରିଷ୍ଠ ଆଡ଼ଭୋକେଟ ଶକ୍ତିଶଙ୍କର ମିଶ୍ର, କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ କହିଥିଲେ। ପଣ୍ଡିତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରଫେସର ମେହେର ମାଲ୍ୟାର୍ପଣ କରିଥିଲେ। ଏଥିରେ ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ମନୋରମା ନନ୍ଦ (ମିଶ୍ର) ଥିଲେ। ଶେଷରେ ମା ମଙ୍ଗଳା ଆଦିବାସୀ ମହିଳା ସମିତିର ସମ୍ପାଦିକା ସୁକାନ୍ତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ