
Bhubaneswar, 02 ଜାନୁଆରି (ହି.ସ.)
• ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଘରୋଇ ଖାଦ୍ୟର ମଜ୍ଜାନେବେ ଦେଖଣାହାରୀ
• ସର୍ବସାଧାରଣଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ରହିଛି ଦୁଇଟି ମଂଚ
ଆସିଗଲା ପଥ ଉତ୍ସବ । ରାତି ପାହିଲା ବେଳକୁ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଖେଳକୁଦ, ଗୀତ, ନାଚରେ ଦୁଲୁକିବ । ଡିଜେର ତାଳେ ତାଳେ ଝୁମିବେ ଦର୍ଶକ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗରମାଗରମ ଖାଦ୍ୟର ମଜ୍ଜା ନେବେ ଦେଖଣାହାରୀ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଚଳିତ ବର୍ଷ ପଥ ଉତ୍ସବକୁ ରଙ୍ଗାରଙ୍ଗ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ବିଏମ୍ ସିରେ ବସିଥିଲା ଶେଷ ପ୍ରସ୍ତୁତି ବୈଠକ । ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଶୀତୁଆ ସକାଳର ମଜ୍ଜା ନେବା ପାଇଁ ଭୁବନେଶ୍ୱରବାସୀଙ୍କ ପାଇଁ ଖୁବ୍ ଶୀଘ୍ର ଆସୁଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପଥ ଉତ୍ସବ । ବିଏମ୍ ସି ପକ୍ଷରୁ ଆସନ୍ତା 4 ତାରିଖ (ରବିବାର) ସକାଳ ସାଢେ 6 ଟାରୁ ମାଷ୍ଟର କ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ 2025-26ର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ । ଏହାର ମଜ୍ଜା ନେବା ପାଇଁ ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଓ କମିଶନର । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସବୁ ବର୍ଗର ମହିଳା ଓ ପୁରୁଷ ଭାଗ ନେଇପାରିବେ । କର୍ମକ୍ଲାନ୍ତ ଜୀବନରୁ ଟିକିଏ ସମୟ ବାହାର କରି ଏପରି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଅନେକ ଶିକ୍ଷାଲାଭ କରିବାକୁ ମିଳିବ । ଖାସ୍ କରି ଶିଶୁ ଓ କିଶୋର କିଶୋରୀଙ୍କୁ ଏହି ପଥ ଉତ୍ସବ ଭରପୁର ମନୋରଂଜନର ଖୋରାକ ଯୋଗାଇବ । ମୁଖ୍ୟ ମଂଚରେ କଣ୍ଠ ଶୀଳ୍ପି ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତରେ ଝୁମିବେ ଦର୍ଶକ ଆଉ କମେଡି କିଙ୍ଗ ପପୁ ପମ୍ପପମଙ୍କ କମେଡିରେ ମତୁଆଲ୍ଲା ହେବେ ଦର୍ଶକ । କେବଳ ମନୋରଂଜନ ନୁହେଁ, ସବୁ ବର୍ଗର ମହିଳା, ପୁରୁଷ, ନିଜ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବା ପାଇଁ ଏହି ପଥ ଉତ୍ସବ ବେଶ ସହାୟକ ହୋଇପାରିଛି ।
ମୁଖ୍ୟ ମଂଚ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇ ଦୁଇଟା ଷ୍ଟେଜ୍ ହୋଇଛି । ଖାଲି ସେତିକି ନୁହେଁ ‘ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ’ ମଂଚରେ ଅଧିକ ଭିଡ ହେଉଥିବାରୁ, ଚଳିତ ବର୍ଷ ଦୁଇ ଦୁଇଟା ମଂଚ ହୋଇଛି । ସର୍ବସାଧାରଣଙ୍କ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଚଲିତ ବର୍ଷ ଦୁଇଟି ସ୍ୱତନ୍ତ୍ର ମଂଚ କରାଯାଇଛି । ଛୋଟ ପିଲାଙ୍କ ପାଇଁ କିଡ୍ସ କିଙ୍ଗଡମ୍, ଯୁବକ, ଯୁବତୀଙ୍କ ପାଇଁ ପଥପ୍ରାନ୍ତ ନୃତ୍ୟଠାରୁ ଆରମ୍ଭ କରି ଦୁଇ ଦୁଇଟି ଡିଜେ ମଂଚ, ଚିତ୍ରକର, କଳାକାର, ରଙ୍ଗୋଲି, ପାରମ୍ପାରିକ ବାଘ ନାଚଠାରୁ ଆରମ୍ଭ କରି ମନୋରଂଜନର ପସରା ଖୋଲିଯିବ ରବିବାର ସକାଳ ସାଢେ 6 ଟାରେ ।
ଭୁବନେଶ୍ୱରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱର ପଥ ଉତ୍ସବ-2025-26ର ମଜ୍ଜା ନେବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଓ କମିଶନର ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା