
ଭଦ୍ରକ, ୧୧ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ‘ରଜତ ଜୟନ୍ତୀ’ ପାଳନ ଉପଲକ୍ଷେ ସ୍ୱତନ୍ତ୍ର ଅଧିବେଶନ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି, କାର୍ଯ୍ୟକାରୀ ସଭାପତି ଉଦୟ ନାଥ ମହାନ୍ତି, ଉପସଭାପତି ଶାନ୍ତନୁ କୁମାର ରାଉତ, ଉପଦେଷ୍ଟା ଅନାଦି ଚରଣ ଦାସ, ବରିଷ୍ଠ ସଦସ୍ୟ ଡ. ମନୀନ୍ଦ୍ର ମହାନ୍ତି, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, କରୁଣାକର ଉପାଧ୍ୟାୟ ମଞ୍ଚାସୀନ ଥିଲେ। ସଂଘ ୧୯୯୫ ମସିହାରୁ ପଞ୍ଜିକୃତ, ଅଦ୍ୟାବଧି ୨୫ ବର୍ଷ ଅତିକ୍ରମ କରିଥିବାରୁ କର୍ମକର୍ତାଙ୍କ ଆଲୋଚନା ପରେ ସର୍ବ ସମ୍ମତିକ୍ରମେ ଆସନ୍ତ ଫେବୃୟାରୀ ୨୨ ତାରିଖରେ ସଂଘର ‘ରଜତ ଜୟନ୍ତୀ’ ଉତ୍ସବ ପାଳନ ହେବାର ସ୍ଥିର ହେଲା। ଉତ୍ସବରେ ଅତିଥି ଭାବରେ ଭଦ୍ରକର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବିଶିଷ୍ଟ ବକ୍ତାଙ୍କୁ ଯୋଗଦାନ ପାଇଁ ଆମନ୍ତ୍ରଣ କରାଯିବାର ସ୍ଥିର ହେଲା। ଏହାସହ ଆସନ୍ତା ୩ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ କରାଯିବ। ରଜତ ଜୟନ୍ତୀ ଉତ୍ସବକୁ ସରସ ସୁନ୍ଦର କରାଇବା ପାଇଁ ଉପସ୍ଥିତ କର୍ମକର୍ତାଙ୍କ ପ୍ରସ୍ତାବମାନ ସର୍ବ ସମ୍ମତିକ୍ରମେ ଗୃହୀତ ହେଲା। ୨୦୨୫ ମସିହା ସୁଦ୍ଧା ପୂର୍ବରୁ ସମ୍ବର୍ଦ୍ଧିତ ହୋଇନଥିବା ଅଶୀବର୍ଷ ଅତିକ୍ରମ କରିଥିବା ଆଜୀବନ ସଦସ୍ୟ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଲକ୍ଷ୍ମଣ କୁମାର ମହାନ୍ତି ସେମାନଙ୍କର ନାମ ଘୋଷଣା କଲେ। ଦାତା କର୍ମକର୍ତାଙ୍କ ସର୍ତାନୁସାରେ ଜିଲ୍ଲାସ୍କୁଲ ଭଦ୍ରକର ଜଣେ ଶିକ୍ଷୟିତ୍ରୀ ଓ ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ସେମାନଙ୍କର ଉତମ ସେବା ଓ କର୍ତବ୍ୟ ନିଷ୍ଠାପାଇଁ ସମ୍ବର୍ଦ୍ଧିତ କରାଯିବ। ଦାତା ସଦସ୍ୟ ସଦସ୍ୟାଙ୍କ ପ୍ରଦତ ରାଶିର ସ୍ଥାୟୀଜମା ସୁଧରୁ ସେମାନଙ୍କ ସର୍ତାନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଜିଲ୍ଲାସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଓ ବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ। ନାରାୟଣ ଚନ୍ଦ୍ର ହାଇସ୍କୁଲ, ଜିଲ୍ଲାସ୍କୁଲ ଭଦ୍ରକ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ, ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ନୂଆ ବଜାର, ବିନ୍ଦୁ ମାଧବ ନୋଡାଲ ହାଇସ୍କୁଲ ବାଗୁରାଇ, ସତ୍ୟସାଇ ବିଷ୍ଣୁମୋହନ ଉଚ୍ଚ ବିଦ୍ୟାଳୟ ଗରଦପୁରର ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ବିଦ୍ୟାଳୟ ସ୍ତରରେ ୨୦୨୫ ମସିହା ବାର୍ଷିକ ପରୀକ୍ଷାରେ ୭ମ ଓ ଅଷ୍ଟମ ଶେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ହରିନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରଦପୁରର, ୫ମ ଓ ୭ମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକର ଛାତ୍ର/ଛାତ୍ରୀ, ୩ୟ ଓ ୫ମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମୂଳଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର / ଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ପେନସନରଙ୍କ ବିଭିନ୍ନ ଦାବୀ ତଥା ବରିଷ୍ଠ ନାଗରିକ ଭାବରେ ବ୍ୟାଙ୍କ୍, ପୋଷ୍ଟ ଅଫିସ, ଡାକ୍ତରଖାନା, ରେଲୱେ ଷ୍ଟେସନ, ବସ୍ଷ୍ଟ୍ୟାଣ୍ଡରେ ଅଗ୍ରାଧିକାର ଭିତିରେ ସେବା ପ୍ରଦାନ ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ସ୍ଥିର ହେଲା। ସଂଘ ଦ୍ୱାରା ସମାଜ କଲ୍ୟାଣ ପାଇଁ ସଂପାଦିତ କାର୍ଯ୍ୟକ୍ରମର ଆଲୋଚନା ସହ ଭବିଷ୍ୟତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପରେ ସ୍ଥିର ହେଲା। ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସଦସ୍ୟଙ୍କର ସାହାଯ୍ୟ, ସହଯୋଗ ଓ ଉପସ୍ଥିତି ଆବଶ୍ୟକ। ପ୍ରାରମ୍ଭରେ ଦିବଂଗତ ସଦସ୍ୟ ଭାଗବତ ବିଶ୍ୱାଳଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ସମୂହ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ତୃତିଚାରଣ କରାଯାଇଥିଲା। ଆଲୋଚନାରେ ମଂଚାସୀନ କର୍ମକର୍ତା, ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର, ମଦନ ମୋହନ ନାୟକ, ଚନ୍ଦ୍ର ମୋହନ ମହାନ୍ତି, ସଂଗ୍ରାମ କେଶରୀ ସାହୁ, ଆଦିତ୍ୟ କୁମାର ନାୟକ, ଉପଦେଷ୍ଟା ଡଃ ରାଧାରାଣୀ ମହାପାତ୍ର, ଆଦିତ୍ୟ କୁମାର ଗୋସ୍ୱାମୀ, ପ୍ରଶାନ୍ତ କୁମାର ଦେ, ଅରୁଣ କୁମାର ମିତ୍ର, ସୁରେଶ କୁମାର ସାହୁ, ଦୁଃଶାସନ ମହାନ୍ତି, ତାରକ ଦାସ ଆଢ଼୍ୟ, ରମାକାନ୍ତ ନାୟକ, ନିରଞ୍ଜନ ବିଶ୍ୱାଳ, ବୀର ନାରାୟଣ ଦାସ, ଗୀତାରାଣୀ ଆଇଚ, ରମେଶ ଚନ୍ଦ୍ର ଦାସ, କିଶୋର ଧଳ, ପଦ୍ମନାଭ ନାୟକ, ବସନ୍ତ କୁମାର ସାହାଣୀ, ରମାକାନ୍ତ ଲେଙ୍କା , ମଦନ ମୋହନ ଦୀକ୍ଷିତ, ଦୈତ୍ୟାରି ଦାସ, କାଶୀନାଥ ପଣ୍ଡା, ଶଶିଭୂଷଣ ଜେନା, ରାଜେନ୍ଦ୍ର କୁମାର ପାତ୍ର, ଶମ୍ଭୁନାଥ ପାଣିଗ୍ରାହୀ, ବିଜୟ କୁମାର ନାୟକ, ଗୋପାଳ ଚରଣ ସେଠୀ, ମାନସ ରଂଜନ ଲେଙ୍କା ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମଦନ ମୋହନ ନାୟକ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ