
ଜୟପୁର, ୧୧ ଜାନୁଆରୀ (ହି.ସ.)- ଭାରତୀୟ ମଜଦୂର ସଂଘର ସଭାପତି/ସାଧାରଣ ସମ୍ପାଦକଙ୍କ ନେତୃତ୍ବରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, (ବିଏମ୍ଏସ) ନେତୃ ମଣ୍ଡଳୀର ଅଧିକାରୀ ମାନେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ଓଡ଼ିଶାରେ କାର୍ଯ୍ୟରତ ଆଶା କର୍ମୀ ମାନଙ୍କର ବହୁବିଧ ସମସ୍ୟା ତଥା ବେତନ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଅଖିଳ ଭାରତୀୟ ସହ ସଙ୍ଗଠନ ମନ୍ତ୍ରୀ, (ନୂଆଦିଲ୍ଲୀ) ଆଶା ଭଉଣୀ ମାନଙ୍କୁ ବେତନ ପ୍ରଦାନରେ ଅନିୟମିତତା ଏବଂ ପ୍ରତିକୂଳ ପରିସ୍ଥିତିରେ ସ୍ୱଳ୍ପ ବେତନରେ କରୁଥିବା ସ୍ବାସ୍ଥ୍ୟ ସେବା କାର୍ଯ୍ୟ ସମ୍ବନ୍ଧରେ ଅବଗତ କଲେ। ଅଖିଳ ଭାରତୀୟ ଆଶା କର୍ମଚାରୀ ସଂଘର ସଭାନେତ୍ରୀ ଶ୍ରୀମତୀ ଜିମି ଖୋରା ଓ ଓଡ଼ିଶା ରାଜ୍ୟ ଆଶା କର୍ମଚାରୀ ସଂଘ ସଧାରଣ ସମ୍ପାଦିକା ଶ୍ରୀମତୀ କମଳା ବେହେରା, ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଶା ଭଉଣୀ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ବାସ୍ତବିକ ସମସ୍ୟା ସମ୍ବନ୍ଧରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କଲେ। ସ୍ବାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଓଡ଼ିଶା ଆଶା କର୍ମଚାରୀ ସଂଘ (ବିଏମ୍ଏସ)ଙ୍କ ଦ୍ଵାରା ଉପସ୍ଥାପିତ ସମସ୍ତ ଦାବୀ ଉପରେ ଓଡ଼ିଶା ସରକାର ସମ୍ବେଦନଶୀଳ ସହିତ ବିଚାର କରୁଛନ୍ତି । ଯଥାଶୀଘ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର ବୈଠକ ମାଧ୍ୟମରେ ଦାବି ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲେ। ଶେଷରେ ପୃଥିରାଜ ପଣ୍ଡା ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା, ସ୍ବାସ୍ଥ୍ୟ ମନ୍ତ୍ରୀ ମାହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାର ବୈଠକରେ ଅଖିଳ ଭାରତୀୟ ସହ ସଙ୍ଗଠନ ମନ୍ତ୍ରୀ ଗଣେଷ ମିଶ୍ର, ବିଏମଏସ୍ ରାଜ୍ୟ ସଭାପତି ବାଦଲ ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ପଣ୍ଡା, ସଂଗଠନ ମନ୍ତ୍ରୀ ଲକ୍ଷଣ ଦାସ, ଆଶା ସହ ପ୍ରଭାରୀ ମୁକ୍ତିକାନ୍ତ ସାହୁ, କେନ୍ଦ୍ର କାର୍ଯ୍ୟକାରୀଣି ସଦସ୍ୟ ବିନୟ ତ୍ରୀପାଠୀ, ଆଶା ମହାସଂଘ ସଭାନେତ୍ରୀ ଜିମି ଖୋରା , ସାଧାରଣ ସମ୍ପାଦିକା କମଳା ବେହେରା, ସମ୍ପାଦିକା ଧରିତ୍ରୀ ବାରିକ, ପ୍ରମିଳା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି