
ବଲାଙ୍ଗିର, ୧୧ ଜାନୁଆରି (ହି.ସ.) - ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନା ଠାରେ ବାର୍ଷିକ କ୍ରୀଡା ସମାରୋହ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଉଦ୍ଯାପନି ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବଲାଙ୍ଗିର ବ୍ଲକର ଶିକ୍ଷାଧିକାରୀ ନିଳମଣି ପଟେଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଛତାମଖନା ଶାଖା ପରିଚାଳକ ଋଷବରାଜ ଗନ୍ତାୟତ ଯୋଗ ଦେଇଥିଲେ। ଏହି ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶକ୍ତିବାଇ ପଣ୍ଡା ପରିଚାଳନା କରିଥିଲେ । ଅତିଥିମାନେ ଛାତ୍ର ଛାତ୍ରୀମନଙ୍କୁ କ୍ରୀଡା କିପରି ଆମ ଦୈନନ୍ଦିନ ଜିବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଆମକୁ ସୁସ୍ଥ ରଖିବା ପାଇଁ କ୍ରୀଡା ଏକ ଭଲ ଅଭ୍ୟାସ ଅଟେ ତାହାକୁ ସରଳ ଭାବେ ବୁଝାଇଥିଲେ। ତେଣୁ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଉଚିତ । ଭାରତ ସରକାରଙ୍କର ଲୋକାଭିମୁଖି ଯୋଜନା ଖେଲୋ ଇଣ୍ଡିଆ ସମ୍ପର୍କରେ ଅବଗତ କରାଇଥିଲେ । କ୍ରୀଡାରେ ଅଂଶଗ୍ରହଣ କରି ଚମ୍ପିୟାନ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଛତାମଖନା ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ଏବଂ ୱାଲ ମ୍ୟାଗାଜିନ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତା ସହିତ ଜେଆରସି ମିଟ୍ ରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାକୁ ସୂଚରୁ ରୂପେ ପରିଚାଳନା କରିଥିବାରୁ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ କରିଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ