
ଭୁବନ, ୧୧ ଜାନୁଆରୀ (ହି.ସ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଶିକ୍ଷା ବିଭାଗ ତରଫରୁ ଜାତୀୟ ଶିକ୍ଷାନୀତି ୨୦୨୦ ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟକ୍ଷ ଡ଼ଃ. ପ୍ରଭାତ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜାତୀୟ ଶିକ୍ଷାନୀତି ୨୦୨୦ ଓ ସାଂପ୍ରତିକ ସ୍ଥିତି ସହିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧ୍ୟାପିକା ଶ୍ରୀମତୀ ମିନତୀ ମିଶ୍ର ଯୋଗଦେଇ ଜାତୀୟ ଶିକ୍ଷାନୀତି, ଯୁବ ସମାଜର ଭୂମିକା ଏବଂ ଭାରତୀୟ ଜ୍ଞାନ ପରମ୍ପରା ସହିତ ପରିଚୟ କରାଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଅନିଲ କୁମାର ଧୀର, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭାତ କୁମାର ଜେନା, ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା, ଶିକ୍ଷା ବିଭାଗ ଅଧ୍ୟାପକ ହୃଦାନନ୍ଦ ବେହେରା ଓ ପାଠ ଚକ୍ର ସଭାପତି ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର ଜାତୀୟ ଶିକ୍ଷାନୀତି ୨୦୨୦ ର ଉପାଦେୟତା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ କିଭଳି ସମନ୍ଵୟ କରାଯାଇ ପାରିବ ସେ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ଶିକ୍ଷା ବିଭାଗ ଛାତ୍ରୀ ଅଙ୍କିତା ସିଂ ଓ ମନୀଷା ନନ୍ଦ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ସେମାନଙ୍କ ପ୍ରବନ୍ଧ ପାଠ କରିଥିଲେ । ଶିକ୍ଷା ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ । ଶେଷରେ ଅଧ୍ୟାପିକା ମନସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବାଜି ରାଉତ କଲେଜର ଶିକ୍ଷା ବିଭାଗର ପୂର୍ବତନ ଅଧ୍ୟାପିକା ଶ୍ରୀମତୀ ମିନତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ