
ଭୁବନେଶ୍ଵର, 11 ଜାନୁଆରି (ହି.ସ)
ମୋଟର ଭେହିକ୍ଲ ଆଇନର ସଂଶୋଧନ ନାମରେ ଲୁନା, ସ୍କୁଟର ଠାରୁ ଆରମ୍ଭ କରି, ଅଟୋ, କାର, ବସ୍, ଟ୍ରକ ସମସ୍ତ ପ୍ରକାରର ମୋଟର ଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାମରେ ତଥାକଥିତ ଜାଞ୍ଚ୍ ଆଳରେ ସରକାର ସମ୍ପୃକ୍ତ ମୋଟର ଯାନ ମାଲିକ/ ଚାଳକଙ୍କୁ ଦିନ ଦିନ ଧରି ଧାଡିରେ ଛିଡା ହେବାର ଦଣ୍ଡ ଦେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଅତ୍ୟଧିକ ଜୋରିମାନା ବୋଝ ଗାଡି ବିକ୍ରୀ କରିବାକୁ ବାଧ୍ୟ କରାଯାଉଛି। ପ୍ରଦୂଷଣ ର ମାତ୍ରା ଯେଉଁ ବେଗରେ ବଢୁଛି, ସେଥିରେ ଭାରତ ସରକାର ଓ ରାଜ୍ଯ ସରକାର ମାନଙ୍କ ଅବହେଳା ସୀମା ଲଙ୍ଘନ କରୁଥିବା ବେଳେ ସରକାର ଯେଉଁ ଦିଗ ପ୍ରତି ଅଧିକ ଧ୍ୟାନ ଦେବା କଥା ତାହା କରୁ ନାହାନ୍ତି। ବିପଜ୍ଜନକ ପ୍ରଦୂଷଣ ବନ୍ଦ ପାଇଁ କେନ୍ଦ୍ର ସରକାର ପ୍ୟାରିସ ଚୁକ୍ତିନାମା କାର୍ଯ୍ୟକାରୀ କରି ଜୀବାଶ୍ମ ଇନ୍ଧନ ବନ୍ଦ କରିଵା, ଜଙ୍ଗଲ କାଟ କରି ପ୍ରତିଷ୍ଠା କରୁଥିବା ଖଣିଜ ଶିଳ୍ପାୟନ ବନ୍ଦ କରିଵା, ବିଲଡର ମାନଙ୍କ ଅସୁରକ୍ଷିତ ତଥା ପ୍ରଦୂଷିତ ନିର୍ମାଣ ଶୈଳୀ ଉପରେ ଅଙ୍କୁଶ ଲଗାଇବା ସହ ପ୍ରଦୂଷଣ ମୁକ୍ତ ମୋଟରଯାନ ଉତ୍ପାଦନ ଉପରେ ଗୁରୁତ୍ୱ ନଦେଇ ସରକାର ଲୋକଙ୍କୁ ଦଣ୍ଡ ଦେବାକୁ ବସିଛନ୍ତି। ଜନଗଣଙ୍କ ଉପରୁ ପ୍ରଦୂଷଣ ସାର୍ଟିଫିକେଟ ନାମରେ ଜୋରିମାନା ରେ ଦେଶ ଚଳାଇବାର ରୁଗ୍ଣ ମାନସିକତା ପ୍ରତିବାଦରେ ଆଜି ଭୁବନେଶ୍ଵର ରାଜମହଲ ଛକରେ ସିପିଆଇ ଓ ଵିକେଏମୟୁ ପକ୍ଷରୁ ବିକ୍ଷୋଭ ଓ ରାସ୍ତା ରୋକ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭ ରେ ସିପିଆଇର ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ରାଜ୍ଯ କାର୍ଯ୍ୟକାରୀ କମିଟି ସଦସ୍ଯ ସୁର ଜେନା, ଭୁବନେଶ୍ଵର ଅଞ୍ଚଳ ସମ୍ପାଦକ କୈଳାସ ପୁହାଣ, ସହ ସମ୍ପାଦକ ବିଶ୍ଵଜିତ ନାୟକ ଓ ଶଙ୍କର ବାରିକ, ରାଧାକାନ୍ତ ଶତପଥୀ, ଶରତ ସ୍ବାଇଁ, ମନୋଜ ବାରିକ, ପଞ୍ଚାନନ ସାହୁ, ଛେତମ୍ବର ଭୋଇ, ମୁରଲୀ ଭୋଇ ଓ ଶିବ ଵେହେରା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା