

ବଲାଙ୍ଗିର, ୧୧ ଜାନୁଆରୀ (ହି.ସ.)- କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ମାନଙ୍କର କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ମହାରାଷ୍ଟ୍ରର ନାସିକରେ ଅବସ୍ଥିତ ସହ୍ୟାଦ୍ରି ଫାର୍ମର ପ୍ରୋଡ୍ୟୁସର କମ୍ପାନୀ (ଏଫ୍ପିସି) ରେ ତିନି ଦିନିଆ ଏକ୍ସପୋଜର ଭିଜିଟ୍ ଆୟୋଜନ କରାଯାଇଥିଲା। ଏହି ଭ୍ରମଣ ସଂସ୍ଥାର ବରିଷ୍ଠ ପ୍ରବନ୍ଧକ ହୃଷିକେଶ ସାହୁଙ୍କ ନେତୃତ୍ୱରେ ୮ ଜାନୁଆରୀରୁ ୧୦ ଜାନୁଆରୀ ପର୍ଯ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଏକ୍ସପୋଜର ଭିଜିଟ୍ରେ ବଲାଙ୍ଗିର ଓ କାଳାହାଣ୍ଡି ଜିଲ୍ଲାର କୃଷକ ଉତ୍ପାଦକ କମ୍ପାନୀମାନଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ଉକ୍ତ ଶୈଖିକ ଭ୍ରମଣରେ ସହ୍ୟାଦ୍ରି ଏଫ୍ପିସି ପକ୍ଷରୁ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଅଂଶ ନେଇ ପ୍ରତିଭାଗୀମାନେ
ଏଫ୍ପିଓ ପରିଚାଳନା, ବୈଧାନିକ ଅନୁପାଳନ, ବ୍ୟବସାୟ ଯୋଜନା, ବଜାର ସଂଯୋଗିକରଣ ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଓ ପ୍ରାୟୋଗିକ ଜ୍ଞାନ ଲାଭ କରିଥିଲେ। ଏହା ସହ ପ୍ରତିଭାଗୀମାନଙ୍କୁ ପ୍ରୋସେସିଂ ୟୁନିଟ୍, ମୂଲ୍ୟ ସଂବର୍ଦ୍ଧନ କାର୍ଯ୍ୟକଳାପ ଓ ଅଙ୍ଗୁର, ପିଆଜ ଭଳି ଉନ୍ନତ ଚାଷ ସହ ସମ୍ପୃକ୍ତ କ୍ଷେତ୍ର ଭ୍ରମଣ କରାଯାଇଥିଲା। ଏହି ସମୟରେ ଆଧୁନିକ କୃଷି ପ୍ରଣାଳୀ, ପ୍ରଯୁକ୍ତିଯୁକ୍ତ ଚାରା ଉତ୍ପାଦନ କେନ୍ଦ୍ର, ସଂଗଠିତ ବଜାର ଓ କୃଷକ ଆୟ ବୃଦ୍ଧି ସମ୍ପର୍କିତ ସଫଳ ମଡେଲମାନଙ୍କ ବିଷୟରେ ପ୍ରତ୍ୟକ୍ଷ ଅନୁଭବ ମିଳିଥିଲା।
ଅଂଶଗ୍ରହଣକାରୀ ମାନଙ୍କ ମତରେ ଏପରି ଏକ୍ସପୋଜର ଭିଜିଟ୍ ମାଧ୍ୟମରେ ଓଡ଼ିଶାର ଏଫ୍ପିଓମାନେ ସଫଳ ମଡେଲରୁ ଶିଖି ନିଜ-ନିଜ କ୍ଷେତ୍ରରେ ଉତ୍ତମ ପରିଚାଳନା, ବ୍ୟବସାୟିକ ବିସ୍ତାର ଏବଂ କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରଭାବଶାଳୀ ପଦକ୍ଷେପ ନେଇ ପାରିବେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ