
ସୁବର୍ଣ୍ଣପୁର, ୧୧ ଜାନୁଆରୀ (ହି.ସ.)- ଗତକାଲି ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଓ କଳାକାରମାନେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଆଜି ଚତୁର୍ଥ ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ତମ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ଗତ ତିନି ଦିନ ଠାରୁ ଅଧିକ ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲାl ଏହି ଅବସରରେ ସାଂସ୍କୃତିକ ସଭା ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଚତୁର୍ଥ ସନ୍ଧ୍ୟାରେ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସାଂସ୍କୃତିକ ସଭାରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବିଧାୟକ, ବୀରମହାରାଜପୁର, ଇଞ୍ଜିନିୟର ରଘୁନାଥ ଜଗଦଳା ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ପୂର୍ବତନ ନ୍ୟାୟାଧିଶ ଚିତ୍ତରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲାପାଳ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ନିଜକୁ ସୁବର୍ଣ୍ଣପୁର ଜିଲ୍ଲାର ସେବକ ବୋଲି କହିବା ସହିତ ଜିଲ୍ଲା ବର୍ତ୍ତମାନ ବିକଶିତ ହେଉଛି ଓ ଆହୁରି ଏହି ବିକାଶ ଧାରାକୁ ଆଗକୁ ନେବାକୁ ସମସ୍ତଙ୍କର ସହଯୋଗ ସହିତ ଉପ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ । ଏହି ମାଟିର ସୁବର୍ଣ୍ଣଗାଥା ଉପରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନ୍ୟ ଜିଲ୍ଲା ଯଥା କଳାହାଣ୍ଡି ଜିଲ୍ଲାର ମହୋତ୍ସବ କୁ ଘୁମୁରା, ନବରଙ୍ଗପୁର ଜିଲ୍ଲାର ମହୋତ୍ସବ କୁ ମଣ୍ଡେଇ କୋରାପୁଟ ଜିଲ୍ଲାର ମହୋତ୍ସବକୁ ପରବ ଭଳି ଆମ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବକୁ ଜିଲ୍ଲା ସଂସ୍କୃତି କମିଟିର ନିଷ୍ପତ୍ତି କ୍ରମେ ଏହି ମାଟିର ମହାପୁରୁଷ ସନ୍ଥ କବି ଭୀମଭୋଇଙ୍କ ଆଦର୍ଶ, ଚିନ୍ତାଧାରା ଓ ଦର୍ଶନ କୁ ନେଇ ମହିମା ନାମରେ ନାମିତ କରାଯାଇଛି। ସେ ଆହୁରି ତାଙ୍କ ବକ୍ତବ୍ୟରେ ପ୍ରକାଶ କଲେ ଯେ ଗତ ୪୨ ବର୍ଷ ତଳେ କୌଣସି ଅଶୁଭ ମୁହୂର୍ତ୍ତରେ ସୁବର୍ଣ୍ଣପୁର ର ଗୋପାଳ ଜୀଉ ଙ୍କ ମୂର୍ତ୍ତି ଗୁଡ଼ିକ ଉଦ୍ଧାର ହୋଇ ଜିଲ୍ଲା କୁ ଫେରି ଆସିବା ସାଂସ୍କୃତିକ ଦୃଷ୍ଟିକୋଣରୁ ଏକ ବଡ଼ ସଫଳତା ଅଟେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଜଷ୍ଟିସ ଚିତ୍ତରଞ୍ଜନ ଦାସ ତାଙ୍କ ଶୁଭେଚ୍ଛା ବାର୍ତ୍ତରେ ସମସ୍ତ ଅତିଥି ଓ ଉପସ୍ଥିତ ଜିଲ୍ଲାବାସୀ ଓ ଦର୍ଶକଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦରଦୀ ମଣିଷ ଏବଂ ଯିଏକି ସୁବର୍ଣ୍ଣପୁର ଲୋକ ମହୋତ୍ସବକୁ ମହିମା ନାମରେ ନାମିତ କରାଇଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଉଦ୍ଧାର ହୋଇଥିବା ବଡ଼ ଗୋପାଳ ଜୀଉଙ୍କ ମୂର୍ତ୍ତି ଗୁଡିକୁ ଏକ ଭବ୍ୟ ସମାରୋହ ଓ ଏକ ଶୁଭ ଦିନରେ ଆଡମ୍ବର ସହକାରେ ପୁନଃ ଅବସ୍ଥାପିତ କରିବା ପାଇଁ ମତବ୍ୟକ୍ତ କରିବା ସହିତ ଜିଲ୍ଲା ପ୍ରଶାସନକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବିଧାୟକ ବୀରମହାରାଜପୁର, ମଞ୍ଚାସିନ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ସହିତ ଉପସ୍ଥିତ ଜିଲ୍ଲାବାସୀ ଓ ଦର୍ଶକଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉପସ୍ଥିତ ସଦସ୍ୟଙ୍କୁ ତାଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ପୂର୍ବକ ଜିଲ୍ଲା କଳା, ସଂସ୍କୃତି ଓ ବିକାଶ ତାଙ୍କର ବାର୍ତ୍ତାରେ କହିଥିଲେ। ଚାଷୀ ମାନଙ୍କ ଅମଳ ଧାନ ମଣ୍ଡିରେ ବିନା ଅସୁବିଧାରେ ବିକ୍ରୟ କରିପାରିବେ ବୋଲି କହିଥିଲେ।
ଶ୍ରୀମତି ଅଞ୍ଜଳିନା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଆମ ସୋନପୁର ଆମକୁ ସୁନ୍ଦର ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର କୁ ଉଦ୍ଘାଟନ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲା ବିଭିନ୍ନ ବ୍ଲକର ଅନ୍ୟ ଜିଲ୍ଲାର ଓ ଅନ୍ୟ ରାଜ୍ୟର ସଂସ୍କୃତି ଦଳ ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ