‘ଶିଶିର ସରସ-୨୦୨୬’ର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟ-ସଙ୍ଗୀତର ଝଙ୍କାର, ଇଡକୋ ପଡ଼ିଆରେ ଜମିଲା ଭିଡ଼
ଭୁବନେଶ୍ଵର, 11 ଜାନୁଆରି (ହି.ସ): ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ। ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟର ରଙ୍ଗୀନ
‘ଶିଶିର ସରସ-୨୦୨୬’ର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟ-ସଙ୍ଗୀତର ଝଙ୍କାର, ଇଡକୋ ପଡ଼ିଆରେ ଜମିଲା ଭିଡ଼


ଭୁବନେଶ୍ଵର, 11 ଜାନୁଆରି (ହି.ସ): ଶୀତୁଆ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମତୁଆଲା ହେଉଛନ୍ତି ରାଜଧାନୀବାସୀ। ଓରମାସ ଏବଂ ସୁଭଦ୍ରା ଶକ୍ତିର ମିଳିତ ଉଦ୍ୟମରେ ଆୟୋଜିତ ‘ଶିଶିର ସରସ ୨୦୨୬’ ଦ୍ୱିତୀୟ ଦିନରେ ପହଞ୍ଚିଛି।

ରବିବାର ସନ୍ଧ୍ୟାରେ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟର ରଙ୍ଗୀନ ପ୍ରସ୍ତୁତି ଦର୍ଶକଙ୍କ ମନମୋହିବା ସହ, ରାୟଗଡ଼ାର ଢେମସା ଏବଂ ରାଜସ୍ଥାନୀ ଲୋକନୃତ୍ୟ ମଞ୍ଚକୁ ଲୋକସଂସ୍କୃତିର ଏକ ସଜୀବ ଚିତ୍ରରେ ପରିଣତ କରିଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ସଙ୍ଗୀତମୟ ପ୍ରସ୍ତୁତି ଶ୍ରୋତାଙ୍କୁ ବାନ୍ଧି ରଖିଥିବା ବେଳେ, ଗୀତର ତାଳେ ତାଳେ ଝୁମୁଥାନ୍ତି ଦର୍ଶକ।

ମେଳାର ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ସହ ଓଲିଉଡ଼ର ପ୍ରସିଦ୍ଧ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ। ସୂଚନାଯୋଗ୍ୟ ଯେ, ଆସନ୍ତା ବୁଧବାର ସନ୍ଧ୍ୟାରେ ଗାୟକ କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତମୟ ପ୍ରସ୍ତୁତି, ଗୁରୁବାର ଓଡ଼ିଆ ସଙ୍ଗୀତ ଜଗତର ଅମର ସ୍ୱର-ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ ସାଗର ନାଇଟ୍’ ଏବଂ ଶୁକ୍ରବାର ଦିନ ‘ଫ୍ୟାସନ ଶୋ’ ଆୟୋଜିତ ହେବ।

ଅପର ପକ୍ଷରେ ରବିବାର, କେରଳର ସେଣ୍ଟ୍ରାଲ ପ୍ଲାଣ୍ଟେସନ୍ କ୍ରପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ (ସିପିସିଆରଆଇ) ପକ୍ଷରୁ ‘ନଡ଼ିଆ ଓ ପ୍ଲାଣ୍ଟେସନ୍ ଫସଲର: ଫାର୍ମରୁ ବଜାର ପର୍ଯ୍ୟନ୍ତ ମୂଲ୍ୟ ସଂଯୋଜନ ଓ ଉଦ୍ୟମ ସୁଯୋଗ’ ବିଷୟରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ଅଂଶଗ୍ରହଣକାରୀମାନେ ପୁରୀ, କେନ୍ଦୁଝର, ବାଲେଶ୍ୱର, ଜଗତସିଂହପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାରୁ ଆସିଥିଲେ।

ମେଳାରେ ଦକ୍ଷତା ବୃଦ୍ଧି ଓ ଗ୍ରାମୀଣ ଉଦ୍ୟମୀଙ୍କ ସଶକ୍ତିକରଣକୁ କେନ୍ଦ୍ର କରି ଆଗାମୀ ଦିନମାନଙ୍କରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହେବ। ଏପିକଲ୍, ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସରକାରୀ ଯୋଜନା ଓ ଉଦ୍ୟମ ପ୍ରୋତ୍ସାହନ ସମ୍ପର୍କିତ କର୍ମଶାଳା, ଆଇଆଇପି, ମୁମ୍ବାଇ ପକ୍ଷରୁ ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉତ୍ପାଦର ବଜାର ସଫଳତା କର୍ମଶାଳା, ଏନଆଇଏଫ ପକ୍ଷରୁ ଲାଗତ-କମ୍ ନବୀନ ପ୍ରଯୁକ୍ତି ସହ ଉତ୍ପାଦନ ଓ ପ୍ରକ୍ରିୟାକରଣ ସମ୍ପର୍କିତ କର୍ମଶାଳା, ଇଡିଆଇଆଇ ପକ୍ଷରୁ ଉଦ୍ୟମ ବିକାଶ, ବ୍ୟବସାୟ ପରିକଳ୍ପନା ଉପରେ କର୍ମଶାଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉତ୍ପାଦକମାନେ ପ୍ରାୟୋଗିକ ଜ୍ଞାନ ସହ ବଜାରମୁଖୀ ଦକ୍ଷତା ବିଷୟରେ ଜାଣିବାକୁ ପାଇବେ। ସେହିପରି ଆସନ୍ତା ଶନିବାର ଆଇଆଇଏମ୍, ଭୁବନେଶ୍ୱର ପକ୍ଷରୁ ନେତୃତ୍ୱ, ପରିଚାଳନା ଓ ଗ୍ରାମୀଣ ସଂସ୍ଥା ସଞ୍ଚାଳନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହେବ। ଏହି ସମସ୍ତ କର୍ମଶାଳା ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ଏହା ସହ ହସ୍ତତନ୍ତ ସାମଗ୍ରୀ ପ୍ରତି ପରିଦର୍ଶକଙ୍କ ବେଶ୍ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ, ଫୁଡ୍‌ ଷ୍ଟଲ୍‌, ପ୍ଲେ ଜୋନ୍‌ ଓ ଅନ୍ୟାନ୍ୟ ଷ୍ଟଲ୍‌ଗୁଡ଼ିକରେ ଜମୁଥିବ ଭିଡ଼ ପାଇଁ ମେଳା ପରିସର ସାରାଦିନ ଚଳଚଞ୍ଚଳ ରହୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande