
Bhubaneswar, 15 ଜାନୁଆରି (ହି.ସ.)
ଜନସ୍ୱାସ୍ଥ୍ୟ, ପରିବେଶ ପରିମଳ ଏବଂ ବିମାନ ଚଳାଚଳ ଆଦି ସୁରକ୍ଷାକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆମିଷ ବଜାର ଏବଂ ଆମିଷ ବାଣିଜ୍ୟିକ ପ୍ରତିଷ୍ଠାନରେ ଆମିଷ ଯଥା ମାଛ, ମାଂସ ଓ କୁକୁଡା ବର୍ଜ୍ୟବସ୍ତୁର ଅନୁପଯୁକ୍ତ ପରିବହନ, ପରିଚାଳନା ଓ ନିଷ୍କାସନ ପାଇଁ ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି । ଏହା ଦ୍ୱାରା ପକ୍ଷୀମାନଙ୍କର ସମାବେଶ ମଧ୍ୟ ହେଉଛି । ଫଳରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀଙ୍କ ଦେହରେ ଆଘାତ ଲାଗି ଗୁରୁତର ବିପଦ ସୃଷ୍ଟି କରୁଛି ।
ଏପରି ପରିବେଶରେ ଆମର ପରିମଳ କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର କାର୍ଯ୍ୟ କରିବା ମଧ୍ୟ କ୍ଷତିକାରକ । କଠିନ ବର୍ଜ୍ୟ ପରିଚାଳନା ନିୟମ-2016, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ-2006, ବିଏମ୍ ସି ବାଇଲ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ଦ୍ୱାରା ବନ୍ୟଜନ୍ତୁ ବିପଦ ପରିଚାଳନା ଉପରେ ଜାରି କରାଯାଇଥିବା ନିର୍ଦେଶାବଳୀ ଅନୁଯାୟୀ, ବିମାନ ବନ୍ଦର ଆଖପାଖରେ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଜୈବିକ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ନିଷ୍କାସନକୁ କଡାକଡି ଭାବେ ବାରଣ କରାଯାଇଛି । ବିମାନବନ୍ଦର ପରିବେଶ ପରିଚାଳନା କମିଟି(ଏଇଏମସି) ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଚଳାଚଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ସହରାଂଚରେ ବର୍ଜ୍ୟ ପରିଚାଳନା ଅଭ୍ୟାସ କଡାକଡି ପାଳନ ମାଧ୍ୟମରେ ପକ୍ଷୀ ଆକର୍ଷଣ ହ୍ରାସ କରିବା ଆବଶ୍ୟକ ।
ଏହି ବୈଧାନିକ ବ୍ୟବସ୍ଥା, ନିଷ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ, ପରିବେଷ ସୁରକ୍ଷା ଓ ବିମାନ ଚଳାଚଳ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍ ସି ପରିସୀମା ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ମାଛ, ମାଂସ ଏବଂ କୁକୁଡା ଦୋକାନୀ, ବିକ୍ରେତା, କଂସାଇଖାନା ୟୁନିଟ୍ ନିମ୍ନଲିଖିତ ନିର୍ଦେଶବଳୀକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି ।
ଉପରୋକ୍ତ ଦୋକାନଗୁଡିକରୁ ବାହାରୁ ଥିବା ସମସ୍ତ ଆମିଷ ବର୍ଜ୍ୟ କେବଳ ସର୍ବନିମ୍ନ 120 ମାଇକ୍ରୋନ ମୋଟା ଜୈବ ବିଘଟନଯୋଗ୍ୟ ଆବର୍ଜନା ବ୍ୟାଗରେ ସଂରକ୍ଷଣ କରାଯିବ ଏବଂ କେବଳ ବଡ ଓ ମଧ୍ୟମ ଧରଣର ବ୍ୟାଗ୍ ବ୍ୟବହାର କରିବେ । ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ କିମ୍ବା ଜୈବ ବିଘଟନଅଯୋଗ୍ୟ ବ୍ୟାଗ୍ ବ୍ୟବହାର ସଂପୂର୍ଣ୍ଣ ଭାବେ ନିଷେଧ କରାଯାଅଛି ।
ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ । ଏଥିପାଇଁ କୌଣସି ପ୍ରକାରେ ଲିକେଜ୍ ହେଉନଥିବା ପାତ୍ରରେ ରଖିବେ । କୌଣସିମତେ ରାସ୍ତା, ଡ୍ରେନ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ପାଇଁ ଅନୁମତି ଦିଆଯିବ ନାହିଁ । ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡିଆ ଜମିରେ ମାଛ, ମାଂସ ଏବଂ କୁକୁଡା ବର୍ଜ୍ୟବସ୍ତୁ ନିଷ୍କାସନକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ସମସ୍ତ ବର୍ଜ୍ୟ କେବଳ ବିଏମ୍ ସି ସଫେଇ ଗାଡିକୁ ହସ୍ତାନ୍ତର କରାଯିବ, ଯାହାଦ୍ୱାରା ଏହାକୁ ବିଜ୍ଞାନସମ୍ମତ ସଂଗ୍ରହ ଓ ନିଷ୍କାସନ କରାଯାଇ ପାରିବ । ନିର୍ଦ୍ଧାରିତ ସମୟସୀମା ବାହାରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କିମ୍ବା ଖୋଲା ବର୍ଜ୍ୟବସ୍ତୁ ରଖିବା ସଂପୂର୍ଣ୍ଣ ନିଷେଧ ।
ସମସ୍ତ ପ୍ରତିଷ୍ଠାନ 11 ଫେବୃଆରୀ, 2026 ସୁଦ୍ଧା ଉପରୋକ୍ତ ନିର୍ଦେଶାବଳୀ କଡାକଡି ଅନୁପାଳନ କରିବାକୁ କୁହାଯାଉଅଛି । ଏହାକୁ ଅମାନ୍ୟ କଲେ, କଠିନ ବର୍ଜ୍ୟ ପରିଚାଳନା ନିୟମ, 2016 ପୌରପାଳିକା ଅଧିନିୟମ ଏବଂ ପ୍ରଯୁଜ୍ୟ ସୁରକ୍ଷିତ ବିମାନ ଚଳାଚଳ ନିୟମ ଅନୁଯାୟୀ ସଂପୃକ୍ତ ଉଲ୍ଲଘନକାରୀଙ୍କ ବିରୋଧରେ ବିବିଧ ପଦକ୍ଷେପ-ଯାହାକି ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଇତ୍ୟାଦି କରାଯିବ ।
ବିଏମ୍ ସିର ଜୋନାଲ କମିଶନର, ସ୍ୱାସ୍ଥ୍ୟ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର ଏବଂ ପ୍ରବର୍ତ୍ତନ ଟିମ୍ ୟୁନିଟ୍-1 ଓ ୟୁନିଟ୍-4 ଏବଂ ଅନ୍ୟାନ୍ୟ ସଂପୃକ୍ତ ବଜାର ଅଂଚଳଗୁଡିକରେ ବିଶେଷ ଧ୍ୟାନ ଦେଇ କଠୋର ତଦାରଖ, ବ୍ୟାପକ ପ୍ରଚାର ଏବଂ ଏହି ଆଦେଶର ଉପଯୁକ୍ତ କାର୍ଯ୍ୟାକାରିତାକୁ ନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା