ବାବା ଝାଡ଼େଶ୍ୱର ପୀଠର ବିକାଶ ପାଇଁ ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ; ୪.୬ କୋଟି ଟଙ୍କାରେ ନିର୍ମାଣ ହେବ ଇକୋ-ପାର୍କ ଓ ପର୍ଯ୍ୟଟନ ପ୍ରକଳ୍ପ
ଝାରସୁଗୁଡ଼ା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲାର ଆରାଧ୍ୟ ଦେବତା ବାବା ଝାଡ଼େଶ୍ୱର ମନ୍ଦିରର ସର୍ବାଙ୍ଗୀନ ବିକାଶ ଏବଂ ଏହାର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ଵାରା ଆଜି ବିଧିବଦ୍ଧ ଭାବେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମନ୍ଦିରର ମହିମା ଏବଂ ପର୍ଯ୍ୟଟନ
ବାବା ଝାଡ଼େଶ୍ୱର ପୀଠର ବିକାଶ ପାଇଁ ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ; ୪.୬ କୋଟି ଟଙ୍କାରେ ନିର୍ମାଣ ହେବ ଇକୋ-ପାର୍କ ଓ ପର୍ଯ୍ୟଟନ ପ୍ରକଳ୍ପ


ଝାରସୁଗୁଡ଼ା, ୧୬ ଜାନୁଆରୀ (ହି.ସ.)- ଜିଲ୍ଲାର ଆରାଧ୍ୟ ଦେବତା ବାବା ଝାଡ଼େଶ୍ୱର ମନ୍ଦିରର ସର୍ବାଙ୍ଗୀନ ବିକାଶ ଏବଂ ଏହାର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ଵାରା ଆଜି ବିଧିବଦ୍ଧ ଭାବେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମନ୍ଦିରର ମହିମା ଏବଂ ପର୍ଯ୍ୟଟନର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ୪.୬ କୋଟି ଟଙ୍କାର ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଏକ ଅତ୍ୟାଧୁନିକ ଇକୋ-ପାର୍କ ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ୪ଟି ସୁସଜ୍ଜିତ ମଣ୍ଡପ, ପର୍ଯ୍ୟଟକଙ୍କ ପାଇଁ ଆରାମଦାୟକ ବିଶ୍ରାମ ଗୃହ, ପଥଚାରୀଙ୍କ ପାଇଁ ସୁନ୍ଦର ୱାକ-ୱେ ଏବଂ ଶିଳ୍ପକଳାର ପ୍ରଦର୍ଶନ ପାଇଁ ଏକ ସ୍କଲପଚର୍ ପାର୍କ ନିର୍ମାଣ କରାଯିବ। ପରିବେଶକୁ ଆହୁରି ମନୋରମ କରିବା ପାଇଁ ଏଠାରେ ଆକର୍ଷଣୀୟ ଫାଉଣ୍ଟେନ୍ ସ୍ଥାପନ କରାଯିବା ସହ ମନ୍ଦିର ନିକଟସ୍ଥ ଜଳାଶୟର ପୁନରୁଦ୍ଧାର ଓ ବିକାଶ କରାଯିବ। ବିଧାୟକ ଶ୍ରୀ ତ୍ରିପାଠୀ ଏହି ଅବସରରେ ମନ୍ଦିର କମିଟି ଓ ବିଭାଗୀୟ ଅଧିକାରୀଙ୍କ ସହ ଆଗାମୀ ମହାଶିବରାତ୍ରିକୁ କିପରି ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨୦୨୫ ମସିହା ଜିଲ୍ଲା ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ ୨ କୋଟି ଟଙ୍କା ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ସହିତ ମହାନଦୀ କୋଇଲା ଖଣି ପକ୍ଷରୁ ମଧ୍ୟ ମନ୍ଦିରର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସମସ୍ତ ପାଣ୍ଠିକୁ ବିନିଯୋଗ କରି ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଆଜିଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବରିଷ୍ଠ ନାଗରିକ ଅଶୋକ ମହାପାତ୍ର, ମନ୍ଦିର ବିକାଶ କମିଟି ଅଧ୍ୟକ୍ଷ ସଦାନନ୍ଦ ଦାଶ, ସମାଜସେବୀ ବିମଳେନ୍ଦୁ ଭୋଳ, ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ମୁଖ୍ୟ ଯନ୍ତ୍ରୀ ସୀମାଞ୍ଚଳ ଦାସ ଏବଂ ଯନ୍ତ୍ରୀ ସୁଶାନ୍ତ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande