
ମାଲକାନଗିରି, ୧୫ ଜାନୁଆରୀ (ହି.ସ.)- ଅଙ୍ଗନବାଡ଼ି ଯେଉଁଠି, ସ୍କୁଲ ସେଇଠି । କେମିତି ପଢ଼ିବୁ ଏକାଠି । ଏକଥା କହୁଛି ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀ । ଘାଟିରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଶିକ୍ଷା ପାଇଁ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି। ଗୋଟିଏ ଦଦରା କୋଠରୀରେ ଚାଲିଛି ପିଲାଙ୍କ ପାଠପଢ଼ା। ଗୋଟିଏ ସ୍ଥାନରେ ପ୍ରାକ୍ ଶିକ୍ଷା ଓ ବିଦ୍ୟାଳୟ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଉପାନ୍ତ ତାଗାବେଡ଼ା ଗାଁରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର। ପାହାଡ ଉପରେ ଏମିତି ଶିକ୍ଷା ପାଇଁ ଭିତ୍ତିଭୂମିର ଚିତ୍ର। ପାହାଡ଼ି ଗାଁର ଶିକ୍ଷା ସ୍ଥିତି। ବେହାଲ କରୁଛି ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥାର ଉପସ୍ଥିତି।
ତାଗାବେଡ଼ା ଗାଁରେ ଦଦରା ମାଟି କୁଡ଼ିଆର ଗୋଟିଏ କୋଠରୀ ଭିତରେ ଏକାଠି ଚାଲିଛି ପ୍ରାକ୍ ଶିକ୍ଷା ଓ ବିଦ୍ୟାଳୟ। ସକାଳେ ଅଙ୍ଗନବାଡି ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନବାଡି ଦିଦି ଏବଂ ଦିନ ତମାମ ଏହି ଗୋଟିଏ କୋଠରୀରେ ବିଦ୍ୟାଳୟ ଚାଲିଛି। ପଲିଥିନ ଘୋଡାଇ ବର୍ଷସାରା ପ୍ରାକ ଏବଂ ବିଦ୍ୟାଳୟ ଏହି ଦଦରା କୋଠରୀରେ ଚାଲିଛି। ପ୍ରଶାସନ ପକ୍ଷରୁ ଆଜି ଯାଏଁ ଘର ଖଣ୍ଡିଏ ହୋଇପାରିନଥିବାରୁ ବିପଦସଙ୍କୁଳ କୋଠରୀ ଭିତରେ ପାଠ ପଢୁଛନ୍ତି ଉଭୟ ପ୍ରାକ୍ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ। ଚଳିତ ବର୍ଷ ତାଗାବେଡ଼ା ଗାଁର ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଅର୍ଥ ଅନୁମୋଦନ ହୋଇଛି। ହେଲେ ଘାଟି ଅଂଚଳ ହୋଇଥିବାରୁ କୋଠା ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ସକ୍ଷମ ହୋଇପାରୁନି। ଏପଟେ ବ୍ଲକର ଶିକ୍ଷା ଭିତ୍ତିଭୂମି କଥା ନ କହିବା ଭଲ। ଖଇରପୁଟ ବ୍ଲକରେ ଶିକ୍ଷା ବିଭାଗର ୧୩୬ଟି ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ବଣ୍ଡାଘାଟିର ତାଗାବେଡ଼ା, ରାମଲିଗୁଡ଼ା, କିଚପଡ଼ା, ସିନ୍ଧିଗୁଡ଼ା, ଖାଲଗୁଡ଼ା ବିଦ୍ୟାଳୟର କୋଠା ନାହିଁ। ତାଗାବେଡ଼ା ପାଇଁ କୋଠା ନିର୍ମାଣ କରିବାକୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ତିଆରି ହୋଇପାରୁନି। ସେହିପରି ଖଇରପୁଟ ବ୍ଲକର ଘାଟି ଅଂଚଳରେ ୧୮ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଅଧିକାଂଶ ଅଧପନ୍ତରିଆ ଥିବାବେଳେ ୫ଟି ଅଙ୍ଗନବାଡି କେନ୍ଦ୍ରର କୋଠା ନିର୍ମାଣ ଆରମ୍ଭ ହୋଇନାହିଁ। ଫଳରେ ଦଦରା କୁଡ଼ିଆ ଭିତରେ କୋମଳମତି ଶିଶୁ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ