
ନୂଆପଡ଼ା, ୧୫ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର ଓ ଗାଈଗୋରୁଙ୍କ ଯୋଗୁଁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏପରିକି ଚାରିଚକିଆ ଯାନରେ ଯାଉଥିବା ଲୋକ ମଧ୍ୟ ଦୁର୍ଘଟଣା ଶିକାର ହେଉଛନ୍ତି । ଗାଈଗୋରୁ ଓ ବୁଲା କୁକୁରଙ୍କ ପ୍ରତି ଏନଏସିର ନିଘା ନାହିଁ । ସହରର ପ୍ରମୁଖ ରାସ୍ତାରେ ଏହି ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ସହର ମଧ୍ୟରେ ମାଳ ମାଳ ଗାଈଗୋରୁ ବୁଲୁଥିବା ବେଳେ ଖଡ଼ିଆଳ ଏନଏସି ଅଧୀନରେ ଥିବା କାଞ୍ଜି ଘର ଦୀର୍ଘବର୍ଷ ହେବ ବନ୍ଦ ଥିବାରୁ ଏନଏସି ଗାଈ ଗୋରୁଙ୍କୁ ଧରିଲେ କେଉଁଠାରେ ରଖିବ ତାକୁ ନେଇ ସମସ୍ୟା ସୃଷ୍ଟି ହେଉଛି । ବୁଲା ଗାଈଗୋରୁ ଓ କୁକୁରଙ୍କୁ ଧରିବା କାର୍ଯ୍ୟରେ ଏନଏସି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ କର୍ମଚାରୀ ନିୟୋଜିତ କରି ବୁଲା କୁକୁର, ଗାଈଗୋରୁଙ୍କୁ ଥଇଥାନ ଆରମ୍ଭ କରିବାକୁ ସହର ବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଛି । ସହରରେ ଦିନକୁ ଦିନ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଏନଏସି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଦିନକୁ ଦିନ ସମସ୍ୟା ବଢି ଚାଲିଛି ଓ ଗାଈଗୋରୁ ଦୁର୍ଘଟଣାର ସଂମ୍ମୁଖୀନ ହୋଇ ମୃତ୍ୟୁବରଣ କରୁଛି । ଅନ୍ୟପକ୍ଷରେ ଗାଈଗୋରୁ ମାଲିକ ମାନେ ସଚେତନ ନହେବାରୁ ପ୍ରତ୍ୟେକ ଦିନ ସହରର ବିଭିନ୍ନ ରାସ୍ତାରେ ଗୋଠ ଗୋଠ ହୋଇ ଗୋରୁ ଗାଈ ରାସ୍ତା ଉପରେ ବୁଲୁଛନ୍ତି । ସହରର ଅଧିକାଂଶ ରାସ୍ତା ଅଣ ଓସାରିଆ ହୋଇଥିବାରୁ ଗାଈଗୋରୁ ରାସ୍ତାରେ ଚଲାବୁଲା କଲେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ସହରରେ ଶହଶହ ବୁଲା କୁକୁର ରାସ୍ତା ଉପରେ ଶୋଇ ରହୁଛନ୍ତି । ରାତିରେ ଯାତୟାତ କରୁଥିବା ଲୋକଙ୍କୁ ଗୋଡାଇବା ଫଳରେ ବାଇକରୁ ପଡ଼ି ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଇଛନ୍ତି । ଏଥିପ୍ରତି ଏନଏସି ପ୍ରଶାସନ ଦୃଷ୍ଟି ଦେବାକୁ ସହର ବାସୀ ଦାବି କରିଛନ୍ତି ।
ଏନେଇ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣାଙ୍କୁ ପଚାରିବାରୁ ବୁଲାଗାଈ ବଳଦ ମାଲିକ ମାନେ ଦିନରେ ଦୁଧ ସଂଗ୍ରହ ପରେ ଛାଡି ଦେଉଛନ୍ତି । ଆଗାମୀ ଦିନରେ ଗାଈ ମାଲିକ ମାନଙ୍କ ବିରୋଧରେ ଜୋରିମାନା ଆଦାୟ କରାଯିବ ଓ କୁକୁର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ