
ପୁରୀ, ୧୫ ଜାନୁଆରୀ (ହି.ସ.)- ଆଜି ଠାରୁ ପୁରୀ ଜିଲ୍ଲାରେ ୨୦୨୫-୨୬ ମସିହା ଖରିଫ ଋତୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମାପଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଧାନ ମଣ୍ଡିରେ ଧାନ କ୍ରୟର ଶୁଭ ଉଦଘାଟନ ହୋଇଛି। ଏହି ଜିଲ୍ଲାସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଆମ ସରକାର କୃଷି ଓ କୃଷକଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ରହିଛି। ଆମ ପ୍ରତିଶ୍ରୁତି ମୁତାବକ ଅତିରିକ୍ତ ସହାୟତା ସହ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣା ଯାଇଥିଲା। ଏଥିପାଇଁ ଚାଷ ପ୍ରତି ବିମୁଖ ହେଉଥିବା କୃଷକମାନେ ପୁଣି ଚାଷ ପ୍ରତି ଆଗ୍ରହ ଦେଖେଇଲେଣି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧୦ ହଜାରରୁ ଅଧିକ କୃଷକ ପଞ୍ଜିକରଣ କରିବା ତାହାର ବଡ ଉଦାହରଣ ବୋଲି ସେ କହିଥିଲେ। ଜିଲ୍ଲାରେ ସମସ୍ତ ଧାନ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ। ଚଳିତ ବର୍ଷ ଧାନ ସଂଗ୍ରହକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଅଧିକ ୯ ଗୋଟି ଅର୍ଥାତ ୧୯୬ଟି ମଣ୍ଡି ଖୋଲିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ପରିଡା କହିଥିଲେ। ନିଜ ଉତ୍ପାଦିତ ଫସଲର ସ୍ବାଦ ନିଆରା। ତେଣୁ ଆବଶ୍ୟକତା ଅନୁସାରେ ନିଜ ପରିବାର ପାଇଁ ପ୍ରଥମେ ଉତ୍ପାଦିତ ଧାନକୁ ରଖି ବଳକା ଧାନକୁ ବିକ୍ରି ପାଇଁ ଆଣିବାକୁ ଉପ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଉପ ମୁଖ୍ୟମନ୍ତ୍ରୀ ନଡ଼ିଆ ଭାଙ୍ଗି ମଣ୍ଡି ଉଦଘାଟନ କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ମୋଟ ୫୯,୯୯୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ଅପେକ୍ଷା ୧୦୭୧୯ ଅଧିକ।ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୫୦,୫୫୨ ଟୋକେନ୍ ବଣ୍ଟନ କରାଯାଇଛି।ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧୨,୦୪,୦୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଧାନର ସର୍ବନିମ୍ନ ସହାୟତା ରାଶି ଇନପୁଟ ସବସିଡ ସହିତ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ। ଏଥର ଝୋଟ ବ୍ୟାଗରେ ହିଁ ଧାନ କ୍ରୟ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ପଞ୍ଜୀକୃତ ହୋଇଥିବା ମୋଟ ୧୯୩ ଟି ପ୍ରାଥମିକ କୃଷି ସମବାୟ ସମିତି, ଗୋଟିଏ ଅତିରିକ୍ତ ସମିତି ଏବଂ ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଧାନ କ୍ରୟ କରାଯାଉଅଛି ବୋଲି ଯୋଗାଣ ଅଧିକାରୀ ଓ ଡିଆରସିଏସ ସୂଚନା ଦେଇଛନ୍ତି।
ପ୍ରାରମ୍ଭରେ ଡିଆରସିଏସ ସରୋଜିନୀ ଜେନା ସମସ୍ତଙ୍କୁ ସ୍ବାଗତ କରିବା ସହ ଚଳିତ ବର୍ଷ ଧାନ ସଂଗ୍ରହ ସମ୍ପର୍କରେ ବିବିଧ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିମାପଡା ବି.ଡ଼ି.ଓ. ଡଃ. ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ଡଃ. ମନୋଜ କୁମାର ପ୍ରଧାନ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ, ମୀନଲତା ମହାନ୍ତି, କୋଟସଙ୍ଗ ଓ ଶଗଡା ପଞ୍ଚାୟତର ସରପଞ୍ଚ, ନିମାପଡା ଆରଏମସି ର ସମ୍ପାଦକ ସୁଶାନ୍ତ ରାଉତ, ଏଆରସିଏସ ସନାତନ ବେହେରା, ଏସଆରସିଏସ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ
ପାକ୍ସ ର କର୍ମକର୍ତ୍ତା, ମିଲର ଓ କୃଷକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଂଚାଳନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ