
ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ନାକପୋଲ ବଜାରସ୍ଥିତ ଜଗନ୍ନାଥ କିଶାନ ସେବାକେନ୍ଦ୍ର ପେଟ୍ରୋଲ ପମ୍ପର ଜଣେ କର୍ମଚରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଏହି ଥାନା ବାରବାଟୀ ପଂଚାୟତ ବଡଫୁଲାଡି ଗ୍ରାମର ଜୟରାମ ସାହୁଙ୍କ ପୁଅ ଅଭୟ ସାହୁ(୨୪) ବୋଲି ଜଣପଡିଛି। ଅଭୟ କିଛି ଦିନ ହେଲା ନାକପୋଲସ୍ଥିତ ଜଗନ୍ନାଥ କିଶାନ ସେବା ପେଟ୍ରୋଲ ପମ୍ପରେ କର୍ମଚାରୀ ଭାବେ ରହି ଗାଡିରେ ତେଲ ଦେଉଥିଲେ। ତେବେ ଆଜି ମଧ୍ୟାହ୍ନରେ ସେ ଖାଇ ରୁମରେ ରେଷ୍ଟ ନେବାକୁ ଯାଇ ଆଉ ଫେରିନଥିଲେ। ସାଥୀ କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି କରିବା ପରେ ଅଭୟ ବେକରେ ରଶି ଲଗାଇ ଓହଳିପଡିଥିବା ଦେଖିଥିଲେ। ଏନେଇ କର୍ମଚାରୀମାନେ ମାଲିକଙ୍କୁ ଜଣାଇବା ପରେ ମାଲିକ ମୃତକର ପରିବାର ଓ ପୁଲିସକୁ ଖବର ଦେଇଥିଲେ। ଧର୍ମଶାଳା ପୁଲିସ ସେଠାରେ ପହଁଚି ମୃତକର ପରିବାରଙ୍କ ଉପସ୍ଥିତିରେ ରଶି କାଟି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ଲାଗି ଧର୍ମଶାଳା ମେଡିକାଲକୁ ପଠାଇଥିଲେ। ଏନେଇ ଧର୍ମଶାଳା ଥାନା ପୁଲିସ ୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ