
ମାଲକାନଗିରି, ୧୬ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ତାରିଣୀ ମନ୍ଦିର ପଛପଟେ ଥିବା ଏକ ବେଆଇନ ପଥର ଖାଦାନରେ ଶ୍ରମିକମାନେ ଟ୍ରାକ୍ଟରରେ ମୋରମ୍ ଲୋଡ୍ କରୁଥିଲେ। ସେହି ସମୟରେ ପାହାଡ଼ ଉପରୁ ହଠାତ୍ ଏକ ବିଶାଳ ପଥର ଖସି ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଫଳରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଚମ୍ପାଖାରୀ ଗ୍ରାମର ମିଟୁ ମାଢ଼ି ଏବଂ ସତ୍ୟମଗୁଡା ଗ୍ରାମର କୁଶ ଗାଦବା। ଆହତ ହେଉଛନ୍ତି ଚମ୍ପାଖାରୀର ବିଜୟ ରାଓ।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ଭାବେ ପଥର ଖନନ କାର୍ଯ୍ୟ ଚାଲିଥିବା ଏବଂ ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ଖଣି କାରବାର ଯୋଗୁଁ ବାରମ୍ବାର ଶ୍ରମିକମାନଙ୍କ ଜୀବନ ବିପଦରେ ପଡୁଥିବାରୁ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ