
କେନ୍ଦୁଝର, ୦୨ ଜାନୁଆରୀ(ହି.ସ.) – ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବନ ବିଭାଗର ସହଯୋଗିତାରେ ଟାଟା ଷ୍ଟିଲ୍ ପକ୍ଷରୁ ନିକଟସ୍ଥ ସାନଘାଗରା ପିକନିକ୍ ସ୍ପଟରେ ଏକ ବିଶାଳ ପରିବେଶ ସଚେତନତା ଅଭିଯାନ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ସାନଘାଗରାକୁ ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟରେ ଏକ ସପ୍ତାହରୁ ଅଧିକ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅଭିଯାନରେ ୭,୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। କେନ୍ଦୁଝର, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ, ପୁରୀ, ଅନୁଗୁଳ, ଯାଜପୁର, ଖୋର୍ଦ୍ଧା, ତାଳଚେର, ଜଗତସିଂହପୁର ସହିତ କୋଲକାତା ଓ ପଶ୍ଚିମବଙ୍ଗର ହୁଗଳୀ ଜିଲ୍ଲାରୁ ମଧ୍ୟ ଆସିଥିବା ପର୍ଯ୍ୟଟକ ମାନେ ଏଥିରେ ସାମିଲ ହୋଇଥିଲେ।
ବିଭିନ୍ନ ବର୍ଗର ଲୋକମାନେ ପରିବେଶ ସୁରକ୍ଷା ପ୍ରତି ସାଧାରଣ ଦାୟିତ୍ୱବୋଧ ମନୋଭାବ ନେଇ କାର୍ଯ୍ୟ କରିଥିଲେ। ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଏହି ଅଭିଯାନ ଆୟୋଜନ କରାଯାଇ, ପର୍ଯ୍ୟଟକ ଓ ଭ୍ରମଣକାରୀମାନଙ୍କୁ ପରିବେଶ ସଫା ରଖିବା ପାଇଁ ପ୍ରେରିତ କରାଯାଇଥିଲା।
ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବେ ପରିବେଶ, ବନ୍ୟପ୍ରାଣୀ ଓ ପ୍ରାକୃତିକ ପରିସ୍ଥିତି ଉପରେ ପ୍ଲାଷ୍ଟିକ୍ର କୁପ୍ରଭାବ ସମ୍ପର୍କରେ ସୂଚନା ଥିବା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ଏଥିସହ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଏକ ବ୍ୟାନର ଲଗାଯାଇଥିଲା। ଅଂଶଗ୍ରହଣକାରୀମାନେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ସାନଘାଗରା ପିକନିକ୍ ସ୍ଥଳୀକୁ ସଫା ଓ ସ୍ୱଚ୍ଛ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ।
ଏହି ଅଭିଯାନରେ ସ୍ଥାନୀୟ ସମୁଦାୟ, ପର୍ଯ୍ୟଟକ, ସ୍ୱେଚ୍ଛାସେବୀ, ପରିବେଶ ଟିମ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଟିମ୍ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA