
ପୁରୀ, ୦୨ ଜାନୁଆରି (ହି.ସ.) - ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଳଗଣ୍ଡି ଛକରେ ବୋଲେରୋ ଓ ସ୍କଟି ମଧ୍ୟରେ ଧକ୍କା ହେବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖିବା ସହ ଉତ୍ୟକ୍ତ ଲୋକ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ମେଡ଼ିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋ ଗାଡ଼ି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବାଲଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇ ଯିବା ସହ ଆହତ ହୋଇଥିଲେ । ଲୋକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିବା ବେଳେ ବୋଲେରୋ ଚାଳକଙ୍କୁ କାବୁ କରିଛନ୍ତି । ତେବେ ଡାକ୍ତର ୫ ବର୍ଷୀୟ ନାବାଳକ ଶ୍ରେୟାଂଶ ଦେ ର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରିରହିଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଉତ୍ୟକ୍ତ ଲୋକ ମାନଙ୍କୁ ଏସପି ପ୍ରତୀକ ସିଂଙ୍କ ବୁଝାସୁଝା କରିବା ସହ ମେଡ଼ିକାଲରେ ଚିକିତ୍ସାଧିନ ଥିବା ଜେଜେବାପା ଓ ସାଇକେଲ ଚାଳକଙ୍କୁ ବୁଝାସୁଝା କରିଥିଲେ । ଏହି ଶୋକାକୁଳ ଘଟଣାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକାକୁଳ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ । ମୃତକ ଶିଶୁର ଶବ ବ୍ୟବଚ୍ଛେଦ କରାଯାଇ ସଂସ୍କାର କରାଯାଇଥିଲା । ଏସପି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ଦୋଷୀକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରେ ଯାନବାହାନ ଚଳାଚଳ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ