



ସମ୍ବଲପୁର, ୨୦, ଜାନୁଆରୀ (ହି.ସ.) ସମ୍ବଲପୁର ଜିଲ୍ଲାକୁ ଟାର୍ଗେଟ କରି ଆନ୍ତଃଜିଲ୍ଲା ମାଫିଆ ମାନେ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ କରି ଆସୁଛନ୍ତି । ଗତ ସୋମବାର ଧନୁପାଲି ଥାନା ପୋଲିସ ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ ମୂଲ୍ୟବାନ କାରକୁ ପିଛା କରିଥିଲା । ଶେଷରେ ଓଡି ୦୨ ଏଜେଡ୍ ୮୦୨୫ ନମ୍ବର କାରକୁ ପୋଲିସ ଅଟକାଇବାରୁ କାରରୁ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଚାମୁଣ୍ଡା ମୁଣ୍ଡା ଅଞ୍ଚଳର ଶିତିକାନ୍ତ ପ୍ରଧାନ ଓହ୍ଲାଇପଡି ସୁନ୍ଦର ସଫେଇ ଦେଇଥିଲେ । ମାତ୍ର ଯୁବକର କୌଣସି ସଫେଇକୁ ଭରଷା ନକରି ପୋଲିସ ଛାନଭିନ୍ କରିବାରେ ବିହାର ନାଳନ୍ଦା ଜିଲ୍ଲା ସାରେ ଥାନା ଅଞ୍ଚଳର ଜଣଙ୍କ ପରେ ଜଣେ ମୋଟ ୪ ଜଣ ଓହ୍ଲାଇ ଥିଲେ । ଗାଡିଟିକୁ ଯାଞ୍ଚ କରିବାରେ ୩୭ କେଜି ୩ଶହ ଗ୍ରାମ୍ ଗଞ୍ଜେଇ ଲୋଡ୍ ଥିବା ଦେଖି ପୋଲିସ ଶିତିକାନ୍ତ ସହ ୪ ବିହାରୀ ଯୁବକ ରଞ୍ଜିତ କୁମାର, ଯମୁନା କୁମାର, ଧମନ କୁମାର ଓ ରବି କୁମାରକୁ ଗିରଫ କରିଥିଲା । ଏଥିସହ ବ୍ୟବହୃତ କାର୍ ଓ ସେମାନଙ୍କ ଠାରୁ ୫ଟି ମୋବାଇଲ୍ ନଗଦ ୨ ହଜାର ଟଙ୍କା ମଧ୍ୟ ଜବତ କରିଥିଲା । ଧନୁପାଲି ଥାନାରେ ଏ ସମ୍ପର୍କରେ ୧୭/୨୬ ଏକ ମାମଲା ରୁଜୁ କରି ପୋଲିସ ଗିରଫ ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି । ତେବେ ବାହାର ରାଜ୍ୟର ମାଫିଆ ମାନେ କିପରି ଓଡ଼ିଶାରେ ଆବାଧ ଚୋରା କାରବାର କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ପ୍ରତ୍ଯେକ ଘଟଣାରେ ସ୍ଥାନୀୟ ଅଞ୍ଚଳର କେହି ନା କେହି ସମ୍ପୃକ୍ତ ରହିବା ଚିନ୍ତାର ବିଷୟ ପାଲଟିଛି । ଆଜିର ଏହି ଘଟଣାରେ ୪ ଜଣ ବିହାରୀ ମାଫିଆଙ୍କ ପଥ ପ୍ରଦର୍ଶିକ ଭାବେ ଶିତିକାନ୍ତର ସମ୍ପୃକ୍ତି ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ