
Bhubaneswar, 20 ଜାନୁଆରି (ହି.ସ.)
ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଡେପୁଟି କମିଶନର ସୁଶ୍ରୀ ରୁବି ବେହେରା, ଶ୍ରୀ ଅଜୟ କୁମାର ମହାନ୍ତି, ଶ୍ରୀମତୀ ରଶ୍ମୀରେଖା ଅମାନ୍ତ, ସହକାରୀ କମିଶନର ସୁଶ୍ରୀ ସ୍ମୃତିରେଖା ସ୍ୱାଇଁଙ୍କ ସହ ମାଷ୍ଟର ଟ୍ରେନର ଭାବେ ଦେବରାୟ କଲେଜର ଅଧ୍ୟାପକ ଶ୍ରୀ ଶଶିକାନ୍ତ ସାହୁ, ହାଇସ୍କୁଲର ଶିକ୍ଷୟିତ୍ରୀ ବିଜୟିନୀ ଷଢଙ୍ଗୀ, ବାଣିବିହାର ହାଇସ୍କୁଲର ମ୍ୟୁଜିକ୍ ଶିକ୍ଷୟତ୍ରୀ ସକୁନ୍ତଳା ମାଣିକ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହୋଇଥିଲେ । ଦୁଇଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମୁଦାୟ 164ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ 5 ଶହ ଛାତ୍ରଛାତ୍ରୀ ଆସିଥିଲେ ।
ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର 150 ତମ ବାର୍ଷିକୀ ଅବସରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଗତ 8 ତାରିଖ ଦିନ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲେ । ଏଥିରେ ବିଏମ୍ ସି ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର 250ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ । ସେମାନଙ୍କୁ ମାଷ୍ଟର ଟ୍ରେନରମାନେ ବନ୍ଦେ ମାତରମ୍ ଗୀତର ଶବ୍ଦ, ସ୍ୱର, ଲୟ ଓ ତାଳ ସଂପର୍କରେ ତାଲିମ ଦେଇଥିଲେ । ପ୍ରଶିକ୍ଷଣ ପରେ ସେମାନେ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ସହ ପ୍ରତିଯୋଗିତା କରାଇଥିଲେ । ସେମାନଙ୍କ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ପ୍ରମାଣ ପତ୍ର ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପ୍ରମାଣ ପତ୍ର ପ୍ରଦାନ ପୂର୍ବରୁ ସାମୁହିକ ଭାବେ ବନ୍ଦେମାତମ୍ ଗାନ କରାଯାଇଥିଲା । ପରେ ଆତ୍ମ ନିର୍ଭରଶୀଳ ଭାରତ ଉପରେ ସ୍ୱଦେଶୀ ସଂକଳ୍ପ ପାଠ ବା ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଶପଥ ପାଠ କରିଥିଲେ ।
ଛାତ୍ରଛାତ୍ରୀଙ୍କ ମନରେ ଜାତୀୟତା ବୋଧ ଜାଗ୍ରତ କରାଇବା ପାଇଁ ଏହି ରାଷ୍ଟ୍ରୀୟ ଗୀତକୁ ସମସ୍ତେ କାୟ, ମନରେ ଗାନ କରିବା । କେବଳ ସେତିକି ନୁହେଁ, ଗାନ୍ଧୀଜୀଙ୍କ “କୁଟି ଖାଅ, କାଟି ପିନ୍ଧ” ନୀତିକୁ କିପରି ଦୈନଦିନ ଜୀବନରେ ପ୍ରୟୋଗ କରିବା ବା ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ପ୍ରକାଶ କରିବା, ସେଥିପାଇଁ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଙ୍କ ଅଭିଭାଷଣ ମାଧ୍ୟମରେ ପରାମର୍ଶ ଦେଇଛନ୍ତି ମେୟର ଶ୍ରୀମତୀ ଦାସ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପି କରାଯାଉଛି । 15ରୁ 20 ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ ଓ ପ୍ରତିଯୋଗୀଙ୍କୁ ପୁରସ୍କୃତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିବା ବେଳେ ବିଏମ୍ ସି ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ ଉପାୟୁକ୍ତ ସୁଶ୍ରୀ ରୁବି ବେହେରା ଓ ସହକାରୀ ଆୟୁକ୍ତ ସୁଶ୍ରୀ ସ୍ମୃତିରେଖା ସ୍ୱାଇଁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା