ଭାରତୀୟ ଭାଷା ପାରିଭାଷିକ ଶବ୍ଦାବଳୀ ଉପରେ ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଜାତୀୟ କର୍ମଶାଳା
ଜୟପୁର, ୨୦ ଜାନୁଆରୀ (ହି.ସ.)- ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ଓ ଭାରତ ସରକାରର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଭାରତୀୟ ଭାଷା ସମିତି, ନୂଆଦିଲ୍ଲୀର ମିଳିତ ଆନୁକୂଳ୍ୟରେ ସୁନାବେଡା ପରିସରରେ “ଭାରତୀୟ ଭାଷାମାନଙ୍କ ପାଇଁ ସମାନ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ଶବ୍ଦାବଳୀ (ଓଡ଼ିଆ, ହିନ୍ଦୀ
ଭାରତୀୟ ଭାଷା ପାରିଭାଷିକ ଶବ୍ଦାବଳୀ ଉପରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାତୀୟ କର୍ମଶାଳା


ଭାରତୀୟ ଭାଷା ପାରିଭାଷିକ ଶବ୍ଦାବଳୀ ଉପରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାତୀୟ କର୍ମଶାଳା


ଜୟପୁର, ୨୦ ଜାନୁଆରୀ (ହି.ସ.)- ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ଓ ଭାରତ ସରକାରର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଭାରତୀୟ ଭାଷା ସମିତି, ନୂଆଦିଲ୍ଲୀର ମିଳିତ ଆନୁକୂଳ୍ୟରେ ସୁନାବେଡା ପରିସରରେ “ଭାରତୀୟ ଭାଷାମାନଙ୍କ ପାଇଁ ସମାନ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ଶବ୍ଦାବଳୀ (ଓଡ଼ିଆ, ହିନ୍ଦୀ ଓ ସଂସ୍କୃତ ସନ୍ଦର୍ଭରେ)” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ୧୯ ଓ ୨୦ ଜାନୁୟାରୀ ୨୦୨୫ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଭାଷାମାନରେ ବୈଜ୍ଞାନିକ–ପ୍ରାଯୁକ୍ତିକ ଶବ୍ଦାବଳୀ ପାଇଁ ଏକ ସାଧାରଣ ଓ ମାନକ ଢଞ୍ଚା ଗଢ଼ିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ଥିଲା।

ଦୀପ ପ୍ରଜ୍ୱଳନ ଓ ବେଦମନ୍ତ୍ର ପାଠ ସହ ୧୯ ତାରିଖରେ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ପ୍ରଫେସର ସତ୍ୟନାରାୟଣ ପଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନାଲକୋ ଦାମନଯୋଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ, ମହାପ୍ରବନ୍ଧକ ଏସ୍. ବସୁ, ହାଲ ର ମହାପ୍ରବନ୍ଧକ (ଡିଜାଇନ) ଏ. ଚକ୍ରଧର, ବିଶ୍ୱବିଦ୍ୟାଳୟର ଅର୍ଥ ଅଧିକାରୀ ଦୁର୍ୟୋଧନ ସେଠୀ, ହରିରାମ ପନ୍ସାରି, ସୁରେନ୍ଦ୍ର ସାମଲ, ପ୍ରଦୀପ କୁମାର ସାହୁ ଏବଂ ସୁନାବେଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ଉଷାରାଣୀ ଦାସ ମଞ୍ଚାସୀନ ଥିଲେ। ହିନ୍ଦୀ ବିଭାଗ ମୁଖ୍ୟ ଡା. ଚକ୍ରଧର ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶ୍ରୀ ନିରଞ୍ଜନ ସାମଲ ତାଙ୍କ ଉଦବୋଧନରେ ହିନ୍ଦୀକୁ ବ୍ୟାପକ ପ୍ରଚଳିତ ଭାଷା ଏବଂ ଓଡ଼ିଆକୁ ସମୃଦ୍ଧ ସାଂସ୍କୃତିକ ଅଭିବ୍ୟକ୍ତିର ସଶକ୍ତ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ। ଅଧ୍ୟକ୍ଷୀୟ ଭାଷଣରେ ପ୍ରଫେସର ପଣ୍ଡା ଭାରତୀୟ ଭାଷାମାନଙ୍କ ଆନ୍ତରିକ ସମ୍ପର୍କ ଓ ବହୁଭାଷୀ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରି, ବିଜ୍ଞାନ–ପ୍ରଯୁକ୍ତି କ୍ଷେତ୍ରରେ ଭାରତୀୟ ଭାଷାମାନଙ୍କୁ ସମୃଦ୍ଧ କରିବାର ଆବଶ୍ୟକତା ଜଣାଇଥିଲେ। ଡା. ମନୋଜ କୁମାର ସିଂହ ସଭା ପରିଚାଳନା କରିଥିବା ବେଳେ ସମନ୍ୱୟକ ଡା. ଶ୍ରୀକାନ୍ତ ଆରାଲେ ଧନ୍ୟବାଦ ଜଣାଇଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଗବେଷକ ଓ ପ୍ରତିଭାଗୀମାନେ କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲେ।

ଦ୍ୱିତୀୟ ପ୍ରାଯୁକ୍ତିକ ସତ୍ରରେ ଶବ୍ଦ ନିର୍ମାଣର ସିଦ୍ଧାନ୍ତ ଉପରେ ଗଭୀର ଆଲୋଚନା ହୋଇଥିଲା। ହରିରାମ ପନ୍ସାରି ସଂସ୍କୃତରେ ପାରିଭାଷିକ ଶବ୍ଦ ଗଠନ ପ୍ରକ୍ରିୟା, ସରକାରୀ ପ୍ରୟାସ ଓ ଶବ୍ଦକୋଶ ସମ୍ପାଦନ ସମସ୍ୟା ବିଷୟରେ ମୂଲ୍ୟବାନ ମତ ରଖିଥିଲେ। ସୁରେନ୍ଦ୍ର ସାମଲ ହିନ୍ଦୀ–ଓଡ଼ିଆରେ ପାରିଭାଷିକ ଶବ୍ଦ ଗଠନ ଓ ଓଡ଼ିଆ ଭାଷାର ଗ୍ରହଣଶୀଳ ସ୍ୱଭାବ ଉପରେ ଆଲୋକପାତ କରିଥିଲେ।

ତୃତୀୟ ସତ୍ରରେ ପ୍ରଫେସର ସତ୍ୟନାରାୟଣ ପଣ୍ଡା ତିନିଟି ଭାଷାରେ ପ୍ରଚଳିତ ବୈଜ୍ଞାନିକ–ପ୍ରାଯୁକ୍ତିକ ଶବ୍ଦାବଳୀର ଐତିହାସିକ ବିକାଶ, ବ୍ୟବହାରିକ ପ୍ରସଙ୍ଗ ଓ ବର୍ତ୍ତମାନ ଆବଶ୍ୟକତା ବିଷୟରେ ତୁଳନାତ୍ମକ ବିଶ୍ଳେଷଣ ପ୍ରଦାନ କରିଥିଲେ। ଚତୁର୍ଥ ସତ୍ରରେ ସମାନ ଶବ୍ଦାବଳୀ ଗଠନର ସମସ୍ୟା ଓ ସମ୍ଭାବନା, ସହିତ ଡିଜିଟାଲ ମାଧ୍ୟମର ଭୂମିକା ଉପରେ ଚର୍ଚ୍ଚା ହୋଇଥିଲା ବୋଲି ଲୋକସମ୍ପର୍କ ଅଧିକାରୀ ଡା. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।

ଦ୍ୱିତୀୟ ଦିବସରେ ସଂସ୍କୃତ, ଓଡ଼ିଆ ଓ ହିନ୍ଦୀ ପାଇଁ ଯୁକ୍ତ ଶବ୍ଦ–ସୂଚୀ ପ୍ରସ୍ତୁତି, ଭାଷା ମାନକୀକରଣ ଓ ଅନୁବାଦ ଚ୍ୟାଲେଞ୍ଜ ଉପରେ ବିଶେଷ ଆଲୋଚନା ହୋଇଥିଲା। ଗୃହମନ୍ତ୍ରଣାଳୟର ରାଜଭାଷା ବିଭାଗର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ପାରିଭାଷିକ ଶବ୍ଦାବଳୀ ନିର୍ମାଣର ବ୍ୟବହାରିକ ପଦ୍ଧତି ବିଷୟରେ ଅଭିଭାଷଣ ଦେଇଥିଲେ। ଭାରତୀୟ ଭାଷା ସମିତିର ବରିଷ୍ଠ ବିଶେଷଜ୍ଞ ପ୍ରୋ. ଆର୍.ଏସ୍. ସର୍ରାଜୁ ସମସ୍ତ ଭାରତୀୟ ଭାଷା ପାଇଁ ସମାନ ଶବ୍ଦାବଳୀ ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏସ୍‌ଟିପିଆଇ ଭୁବନେଶ୍ୱରର ପରାମର୍ଶଦାତା ଶ୍ରୀ ହରିରାମ ପନ୍ସାରୀଙ୍କ ଉପସ୍ଥିତିରେ ଶବ୍ଦାବଳୀ ଏକତ୍ରୀକରଣ ଓ କାର୍ୟାନ୍ୱୟନ ଯୋଜନା ଚୂଡ଼ାନ୍ତ ହୋଇଥିଲା।

କର୍ମଶାଳାରେ ବୈଜ୍ଞାନିକ–ପ୍ରଯୁକ୍ତି ଭିତ୍ତିକ ଶବ୍ଦାବଳୀର ବ୍ୟାପକ ପ୍ରଚଳନ ଓ ଯୋଗାଯୋଗକୁ ସରଳ କରିବା ପାଇଁ ଦୃଢ଼ ସୁପାରିଶ ରଖାଯାଇଥିଲା। ବିଶ୍ବବିଦ୍ୟାଳୟର ଶିକ୍ଷକ, ଛାତ୍ର-ଛାତ୍ରୀମାନଙ୍କ ସମେତ ଡିଏଭି କଲେଜ କୋରାପୁଟ, ସୁନାବେଡା ମହିଳା ମହାବିଦ୍ୟାଳୟ, କେଭି ସୁନାବେଡା, ନାଲକୋ, ହାଲ ଓ ସିସିବିଏଫ ସହ ବିଭିନ୍ନ ସଂସ୍ଥାର ଶିକ୍ଷକ–ଗବେଷକ–ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣରେ କାର୍ଯ୍ୟକ୍ରମ ଏକ ସଜୀବ ଶାସ୍ତ୍ରୀୟ ସମ୍ବାଦରେ ପରିଣତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande