
ଧର୍ମଶାଳା, ୨୦ ଜାନୁଆରୀ (ହି.ସ)- ସୋମବାର ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଂଚାୟତ ପୋବଳ ଗାଁ ରେ କଟକ କ୍ରାଇମବ୍ରାଂଚ୍ ଟିମ୍ ଓ ଧର୍ମଶାଳା ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ସାଇବର ଠକେଇ ମାମଲାରେ ଆର୍ଥିକ କାରବାରକୁ ନେଇ ପୋବଳ ଗାଁ ର ସରୋଜ ଜେନାଙ୍କ ଘରେ ଚଢ଼ଉ କରି ପାଖାପାଖି ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ୍ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଂଚ୍ ଟିମ୍ ଉଠେଇ ନେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମାକାନ୍ତ ନାୟକ । ସରୋଜର ଭାଇ ଚନ୍ଦନ ଜେନା ଓ ତରଞ୍ଜିଆ ପଂଚାୟତର ପ୍ରଫୁଲ୍ଲ ବିଶ୍ୱାଳ, ଧଡ଼ିଆ ଜେନା ପ୍ରମୁଖଙ୍କୁ ଉଠାଇ ନେଇଥିବା ଜଣାପଡିଛି । ଗତକାଲି ରାତି ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିବା ବେଳେ ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ସହ ଏକ ବୁଲେଟ ଗାଡ଼ି, ଓଲା ଇ.ଭି. ମଧ୍ୟ ଜବତ ହୋଇଛି । ତେବେ ଯାହା ସୂଚନା ରହିଛି ଗତ କିଛି ଦିନ ହେବ ସରୋଜ ସାଇବର କ୍ରାଇମ କରି କାହାକୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିଥଲା । ସାଇବର ଥାନାରେ ଏନେଇ ମାମଲା ରୁଜ୍ଜୁ ପରେ କ୍ରାଇମବ୍ରାଂଚ ଏଭଳି ଚଢ଼ଉ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ