
ପୁରୀ/ଖୋର୍ଦ୍ଧା, ୨୦ ଜାନୁଆରୀ (ହି.ସ.)- ଆଜିଠୁ ଚିଲିକାରେ ଡଲଫିନ ଗଣନା ଆରମ୍ଭ ହୋଇଛି । କେତେ ସଂଖ୍ୟାରେ ଡଲଫିନ ଚିଲିକାରେ ଅଛନ୍ତି ତା’ର ଗଣନା କରୁଛି ବନ ବିଭାଗ । ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ପୂର୍ବରୁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ (ଡିଏଫଓ) । ଡଲଫିନ ଗଣନା ପାଇଁ ଚିଲିକା ବନଖଣ୍ଡର ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ତିନି ଦିନର କଟକଣା ଲାଗୁ ପାଇଁ ଚିଠି ଲେଖା ହୋଇଛି । ୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ସକାଳୁ ଦିନ ୧୨ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡ଼ଙ୍ଗା ଚଳାଚଳକୁ ବାରଣ ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷରେ ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।
ସୂଚନା ଥାଉକି, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଏବଂ ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟା ଠାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ