
ପଟ୍ଟାମୁଣ୍ଡାଇ, ୨୦ ଜାନୁଆରୀ (ହି.ସ.)- ଆଜି ଠାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକାରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା । ଏହି ଡ଼ଲଫିନ ଗଣନା କାର୍ଯ୍ୟ ତିନି ଦିନ ଧରି ଚାଲିବ । ଗଣନାରେ ୯ଟି ବିଶେଷଜ୍ଞଙ୍କ ଟିମ୍ ସାମିଲ୍ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୩ରୁ ୫ ଜଣ ଗଣନାକାରୀ ସାମିଲ୍ ହୋଇ ଗଣନା କରୁଛନ୍ତି ।
ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଏହି ଗଣନା କରାଯିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣନା ପାଇଁ ୯ଟି ବିଶେଷଜ୍ଞଙ୍କ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୩ରୁ ୫ ଜଣ ଗଣନାକାରୀ ରହିଛନ୍ତି । ସମୁଦ୍ର ମଧ୍ୟରେ କିଛି ଟିମ୍ ଏବଂ ନଦୀ ଓ କ୍ରିକ୍ ରେ ଆଉ କିଛି ଗଣନାକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଗଣତି ପ୍ରକ୍ରିୟାରେ ବାଇନାକୁଲାର ଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯାଉଛି । ଏହି ଗଣନା ଆଜି ସକାଳ ଠାରୁ ଆରମ୍ଭ ହୋଇ ପାଖାପାଖି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ସାଧାରଣତଃ ୫ ପ୍ରଜାତିର ଯଥା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍ ଥେସ ପାରିପଏସ ଓ ଗାଙ୍ଗଟିକ୍ ପ୍ରଜାତିର ଡଲଫିନ ଦେଖା ଯାଇଥାନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ