
କେନ୍ଦ୍ରାପଡ଼ା, ୨୦ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଏକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣାର ବିଚାର କରି ଶଳା ଭିଣେଇଙ୍କୁ ୧୦ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ଆଉ ଏକ ବର୍ଷ ଜେଲ ଭୋଗିବାକୁ ହେବ। ଘଟଣାରୁ ପ୍ରକାଶ ଯେ, ଜମ୍ବୁ ମେରାଇନ ଥାନା ପେଟଛଲା ଗ୍ରାମର ଜଣେ ମହିଳାଙ୍କୁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଗୌତମ ସାମଲ ଓ ଅଭୟ ରାଉତ(ଅଭିମନ୍ୟୁ) ୧.୭.୨୦୨୪ ଦିନ ୧୦ଟା ସମୟରେ ଘରେ ଏକା ଦେଖି ପ୍ରଥମେ ଗୈାତମ ସାମଲ ଦୁଷ୍କର୍ମ କରିବା ପରେ ୧୦ ମିନିଟ୍ ପରେ ଅଭୟ ରାଉତ ପୁନର୍ବାର ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଜଣଙ୍କ ମେରାଇନ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ୮୯/୨୪ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲେ। ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଏସଟି କେସ ନଂ-୨୩୩/୨୪ ମାମଲାର ବିଚାର କରି ବିଚାରପତି ତ୍ରିବିକ୍ରମ କେଶରୀ ଚିନାରା ଉଭୟ ଶଳା ଭିଣେଇଙ୍କୁ ୧୦ ବର୍ଷ ଜେଲରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆଉ ୧ ବର୍ଷ ଜେଲରେ ରହିବାକୁ ପଡିବ। ଏଥିସହିତ ପିଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ସମର କେଶରୀ ମହାପାତ୍ର ପରିଚାଳନା କରୁଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି