ଏସଆଇଆର : କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ନେଇ ଇଆରଓ ଏବଂ ଏଇଆରଓଙ୍କୁ ଜବାବ ତଲବ ପାଇଁ ପ୍ରସ୍ତୁତି ଚାଲିଛି
କୋଲକାତା, ୨୦ ଜାନୁଆରୀ (ହି.ସ.)- ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସମୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)କୁ ସ୍ପଷ୍ଟ ନିର୍ଦ୍ଦେଶର ଅଣଦେଖା କରିଥିବା କିଛି ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ଏବଂ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ)ଙ୍
ଏସଆଇଆର : କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ନେଇ ଇଆରଓ ଏବଂ ଏଇଆରଓଙ୍କୁ ଜବାବ ତଲବ ପାଇଁ ପ୍ରସ୍ତୁତି ଚାଲିଛି


କୋଲକାତା, ୨୦ ଜାନୁଆରୀ (ହି.ସ.)- ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସମୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)କୁ ସ୍ପଷ୍ଟ ନିର୍ଦ୍ଦେଶର ଅଣଦେଖା କରିଥିବା କିଛି ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ଏବଂ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ)ଙ୍କୁ ଜବାବ ତଲବ ପାଇଁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ବିଚାର କରୁଛି । ଅଭିଯୋଗ ହୋଇଛି ଯେ, ଦାବି ଏବଂ ଆପତିର ଶୁଣାଣି ସମୟରେ ଏହି ଅଧିକାରୀମାନେ ଏପରି ପରିଚୟ ପତ୍ର ସ୍ୱୀକାର କରିଛନ୍ତି, ଯାହାକି ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଦଲିଲର ସରକାରୀ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା ।

ନିର୍ବାଚନ କମିଶନ ଭୋଟର ପଞ୍ଜିକରଣର ସମର୍ଥନରେ ସ୍ୱୀକାର୍ଯ୍ୟ ପରିଚୟପତ୍ରର ୧୩ ଦସ୍ତାବିଜ୍ ର ସୂଚୀ ସ୍ପଷ୍ଟ ଭାବରେ ଜାରି କରିଥିଲେ । ଏବଂ ନିର୍ଦ୍ଦେଶ ଦେଇଥିଲେ ଯେ, ଏହା ବ୍ୟତୀତ ଅନ୍ୟ କୌଣସି ଦଲିଲ୍ ଗ୍ରହଣ କରାଯିବ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ଙ୍କୁ ମଧ୍ୟ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ସତ୍ୱେ, କେତେକ ମାମଲାରେ ଇଆରଓ ଏବଂ ଏଇଆରଓ ଦ୍ୱାରା ଅଣ ତାଲିକାଭୁକ୍ତ ଦଲିଲ୍ ଗ୍ରହଣ କରିବାର ସୂଚନା ସାମ୍ନାକୁ ଆସିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ସୂତ୍ର କହିଛି ଯେ, ଏହା ସମ୍ପୂର୍ଣ୍ଣ ଏସଆଇଆର ପ୍ରକ୍ରିୟାକୁ ବିଳମ୍ବ କରୁଛି, କାରଣ ଏଭଳି ଭୋଟରମାନଙ୍କୁ ସଠିକ୍ କାଗଜପତ୍ର ସହିତ ପୁଣି ଥରେ ଡକାଯିବ । ଅନ୍ୟପକ୍ଷରେ, କିଛି ନ୍ୟସ୍ତ ସ୍ୱାର୍ଥୀ ତତ୍ୱ ଏହାକୁ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟର ମାନଙ୍କୁ ଅନାବଶ୍ୟକ ଭାବେ ହଇରାଣ କରାଯାଉଥିବାର ଅଭିଯୋଗର ଆଧାର ଭାବରେ ବ୍ୟବହାର କରୁଛନ୍ତି ।

କମିଶନ ବିଶ୍ୱାସ କରନ୍ତି ଯେ, ଏପରି ଅବହେଳା କେବଳ ସମୟସୀମାକୁ ପ୍ରଭାବିତ କରେ ନାହିଁ ବରଂ ସମଗ୍ର ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଏ । ତେଣୁ, କମିଶନ ଏବେ ସମ୍ପୃକ୍ତ ଇଆରଓ ଏବଂ ଏଇଆରଓଙ୍କୁ ଜବାବ ତଲବ କରିବାର ପ୍ରସ୍ତୁତି କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande