




ସମ୍ବଲପୁର, ୨୦ ଜାନୁଆରୀ (ହି.ସ.)- ହୀରାକୁଦ ଆଦ୍ରଭୂମି (ହୀରାକୁଦ ଜଳାଶୟ) ଓ ପାୱର୍ ଚ୍ୟାନେଲକୁ ଆବର୍ତ୍ତିତ କରି ଗତ ଜାନୁଆରୀ ୧୮ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିବା ବାର୍ଷିକ ହୀରାକୁଦ ପକ୍ଷୀ ଗଣନା–୨୦୨୬ ସଫଳତାର ସହିତ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ଟାରେ ଗଣନା କାର୍ଯ୍ୟ ଶେଷ ହୋଇଥିଲା।ହୀରାକୁଦ ଆଦ୍ରଭୂମିକୁ ମୋଟ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା। ଚଳିତ ବର୍ଷ ମୋଟ ୧୨୮ ପ୍ରଜାତିର ପକ୍ଷୀ ଓ ପ୍ରାୟ ୪.୨ ଲକ୍ଷ ପକ୍ଷୀ ଗଣନା କରାଯାଇଛି। ଏହି କାର୍ଯ୍ୟରେ ୩୮ଟି ଟିମ୍ ଓ ୯୩ ଜଣ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ। ପ୍ରତ୍ୟେକ ଟିମ୍କୁ ଜଣେ ପକ୍ଷୀ ବିଶେଷଜ୍ଞ ନେତୃତ୍ୱ ଦେଇଥିଲେ ଏବଂ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼—ଏହି ୩ଟି ଜିଲ୍ଲାର ବନ କର୍ମଚାରୀମାନେ ସହଯୋଗ କରିଥିଲେ। ହୀରାକୁଦ ଆଦ୍ରଭୂମି ଭିତରେ ରାସ୍ତା ଓ ଗଣନା କ୍ଷେତ୍ରରେ ପୁନରାବୃତ୍ତି ରୋକିବା ପାଇଁ ପ୍ରତ୍ୟେକ ଟିମ୍କୁ କେଏମ୍ଏଲ୍ ଫାଇଲ୍ ପ୍ରଦାନ କରାଯାଇଥିଲା। ପୂର୍ବ ବର୍ଷ ଗୁଡ଼ିକରେ ଦେଖା ଯାଇନଥିବା ୫ଟି ନୂଆ ପକ୍ଷୀ ପ୍ରଜାତି— ରଡି କ୍ରେକ୍ , ଗ୍ରେଟର୍ ପେଣ୍ଟେଡ୍ ସ୍ନାଇପ୍, ପେଣ୍ଟେଡ୍ ଷ୍ଟର୍କ୍, ଲିଟଲ୍ ଗଲ୍ ଓ ସାଣ୍ଡରଲିଙ୍ଗ୍ ଚିହ୍ନଟ କରାଯାଇଛି। ସାଧାରଣତଃ ଦେଖାଯାଇଥିବା ପକ୍ଷୀମାନଙ୍କ ମଧ୍ୟରେ ଟଫ୍ଟେଡ୍ ଡକ୍, ହ୍ୱିସଲିଙ୍ଗ୍ ଡକ୍, ଗ୍ରିବ୍ସ, ବାର୍-ହେଡେଡ୍ ଗୁସ୍, ବ୍ରାହ୍ମିଣୀ ଡକ୍, ଗ୍ୟାଡୱାଲ୍, ୟୁରେସିଆନ୍ ୱିଜନ୍, ନର୍ଦର୍ନ୍ ପିଣ୍ଟେଲ୍, ନର୍ଦର୍ନ୍ ଶଭେଲର୍, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ସ୍ୟାଣ୍ଡପାଇପର୍ ସମେତ ୬ ପ୍ରକାରର ଗଲ୍, ବିଭିନ୍ନ ପ୍ରକାରର ଟର୍ନ୍, ପ୍ରାଟିନ୍କୋଲ୍, ବିଭିନ୍ନ ପ୍ରକାରର କିଙ୍ଗଫିଶର୍, ଇଣ୍ଡିଆନ୍ ସ୍କିମର୍, କର୍ମୋରାଣ୍ଟ, ବିଭିନ୍ନ ପ୍ରକାରର ଏଗ୍ରେଟ୍ ଓ ହେରନ୍, ପ୍ଲୋଭର୍ ଇତ୍ୟାଦି ଅନ୍ତର୍ଭୁକ୍ତ ଥିବା ଦେଖିବାକୁ ମିଳିଥିଲା। ସେକ୍ଟର–୮, ୭ ଓ ୯ ହୀରାକୁଦ ଜଳାଶୟର ଉପରିଭାଗ, ଓଡ଼ିଶା–ଛତିଶଗଡ଼ ସୀମା ଦିଗରେ ପକ୍ଷୀମାନଙ୍କର ଅଧିକ ସଂକେନ୍ଦ୍ରଣ ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଜଳମଗ୍ନ ଦ୍ୱୀପ, ସୁସ୍ଥ ଜଳଜ ଉଦ୍ଭିଦ ଓ ପ୍ରାଣୀ, ଶୀତକାଳୀନ ବାସ ଓ ଘୋସ ତିଆରି ପାଇଁ ବାଲୁକା ଟିବା, କମ୍ ମାଛ ଧରା ଚାପ ଥିବାରୁ ପକ୍ଷୀ ସଂଖ୍ୟା ଅଧିକ ହୋଇଥିବା ଆକଳନ କରାଯାଇଛି।
ଏହି ଗଣନା କାର୍ଯ୍ୟରେ ବାର୍ଡର୍ସ କ୍ଲବ୍ ସମ୍ବଲପୁର (ଚଢ଼େଇ କ୍ଲବ୍), ବାର୍ଡର୍ସ କ୍ଲବ୍ ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଓ ବରଗଡ଼ର ଅନୁଭବୀ ପକ୍ଷୀ ପର୍ଯ୍ୟବେକ୍ଷକମାନେ ଟିମ୍ ମାନଙ୍କର ନେତୃତ୍ୱ ନେଇଥିଲେ। ଏଥିସହିତ ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାରୁ ମଧ୍ୟ ପକ୍ଷୀ ପ୍ରେମୀମାନେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଗତ ୨୦୨୫ ମସିହାରେ ମୋଟ ୧୨୨ ପ୍ରଜାତିର ପକ୍ଷୀ ଓ ପ୍ରାୟ ୩.୭୭ ଲକ୍ଷ ପକ୍ଷୀ ଗଣନା କରାଯାଇଥିଲା ବୋଲି ଓ୍ବାଇଲ୍ଡ ଲାଇଫ୍ ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ