
ଜୟପୁର, ୨୦ ଜାନୁଆରୀ (ହି.ସ.)- ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ୧୧୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହାକୁ ମୁଖ୍ୟ ଅତିଥି ଜୟପୁର ଗୋଷ୍ଠି ଶିକ୍ଷା ଅଧିକାରି ଚନ୍ଦନ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ସହିତ ସମ୍ମାନୀତ ଅତିଥି ଥିଲେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନରେଶ ଷଡ଼ଙ୍ଗୀ, ବିଦ୍ୟାଳୟର ଆଲୁମିନି ପ୍ରକାଶ ପଟ୍ଟନାୟକ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁରୁଣାଗଡ଼ସ୍ଥିତ ହନୁମାନ ମନ୍ଦିରରୁ ମଶାଲ ଆଣି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ସୁବର୍ଣ୍ଣ ଖିଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କ୍ରୀଡା ଉତ୍ସବର ପ୍ରଥମ ଦିବସରେ ଛାତ୍ର ଛାତ୍ରୀମାନଙ୍କର ୪୦୦ ମିଟର, ୬୦୦ ମିଟର, ୮୦୦ ମିଟର ଦୌଡ ପ୍ରତିଯୋଗୀତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଧାତବ ପେଣ୍ଡୁ ନିକ୍ଷେପ (ସଟ୍ ପୁଟ ଥ୍ରୋ) ପ୍ରତିଯୋଗୀତା ସରିଯାଇଛି। ଏଥିରେ ସହଯୋଗ କରିଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରୁ ଆସିଥିବା ଗୁରୁ ଛାତ୍ର ଛାତ୍ରୀମାନେ। ବାର୍ଷିକ ଉତ୍ସବରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଘୋଷଣା କରିଛନ୍ତି।
ପ୍ରକାଶ ଥାଉକି, ଏହି କ୍ରୀଡା ପ୍ରତିଯୋଗିତା ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପି. ରାଜେଶ୍ୱରିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ପିକେପି