
ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)-ମଙ୍ଗଳବାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ଜାତୀୟ ଅଧ୍ୟକ୍ଷ
ନିତିନ ନବୀନଙ୍କୁ ଅଭିନନ୍ଦନ ଜଣାଇ ନିଜକୁ ଦଳର ଜଣେ କାର୍ଯ୍ୟକର୍ତ୍ତା ଭାବେ ଉଲ୍ଲେଖ କରିଥିଲେ
ଏବଂ କହିଥିଲେ ଯେ ଦଳ ସମ୍ପର୍କିତ ବିଷୟରେ ନିତିନ ନବୀନ ତାଙ୍କର ବସ୍।
ଦିଲ୍ଲୀସ୍ଥିତ ବିଜେପି
ମୁଖ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ନିତିନ ନବୀନ ଦଳର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହିତ ଦଳର ବରିଷ୍ଠ ନେତା ଓ
କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ଦଳୀୟ
କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ,
“ମୁଁ ଭାରତୀୟ ଜନତା ପାର୍ଟିର ଜଣେ
କାର୍ଯ୍ୟକର୍ତ୍ତା—ଏହା
ମୋ ପାଇଁ ସବୁଠାରୁ ବଡ଼ ଗର୍ବ। ଯେତେବେଳେ ଦଳର କଥା ଆସେ, ସେତେବେଳେ ନିତିନ ନବୀନ ଜୀ ମୋର ବସ୍।” ସେ କହିଥିଲେ ଯେ ବିଜେପିରେ ପଦବୀ ବଦଳେ, କିନ୍ତୁ ଆଦର୍ଶ ବଦଳେ ନାହିଁ; ନେତୃତ୍ୱ ବଦଳେ, କିନ୍ତୁ ଦିଗ୍ଦର୍ଶନ ବଦଳେ ନାହିଁ। ବିଜେପି ଏକ ପରିବାର, ଯେଉଁଠାରେ ସଦସ୍ୟତାଠାରୁ ଅଧିକ ସମ୍ପର୍କର ମୂଲ୍ୟ ଅଛି।
ପ୍ରଧାନମନ୍ତ୍ରୀ କହିଥିଲେ
ଯେ ନିତିନ ନବୀନଙ୍କ ଦାୟିତ୍ୱ କେବଳ ବିଜେପି ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଜାତୀୟ ଗଣତାନ୍ତ୍ରିକ ମହାମେଂଟ (ଏନ୍ଡିଏ)ର ସମସ୍ତ ସହଯୋଗୀ
ଦଳମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସେ ଏହି ବିଶ୍ୱାସ
ପ୍ରକାଶ କରିଥିଲେ ଯେ ଯୁବ ଉତ୍ସାହ ଓ ଅନୁଭବ ସହିତ ନିତିନ ନବୀନ ଦଳର ଐତିହ୍ୟକୁ ଆଗକୁ ନେଇଯିବେ।
ସଂଗଠନ ପର୍ବ ସମ୍ପର୍କରେ
କଥା ହେବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦଳର ସଂବିଧାନର ଭାବନା ଅନୁଯାୟୀ, ଶତ-ପ୍ରତିଶତ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ
ସମ୍ପନ୍ନ ହୋଇଛି। ଏହା ବିଜେପିର ଗଣତାନ୍ତ୍ରିକ ଆସ୍ଥା, ସଂଗଠନାତ୍ମକ ଶିସ୍ତ ଏବଂ କାର୍ଯ୍ୟକର୍ତ୍ତା କେନ୍ଦ୍ରିତ ଚିନ୍ତାଧାରାର
ପ୍ରତୀକ। ସେ ଦେଶବ୍ୟାପୀ କାର୍ଯ୍ୟକର୍ତ୍ତାମାନଙ୍କୁ ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ
ଅଭିନନ୍ଦନ ଜଣାଇଥିଲେ।
ମୋଦୀ କହିଥିଲେ ଯେ ବିଜେପି
ଏକ ସଂସ୍କାର ଓ ଜୀବନଭରି ଦାୟିତ୍ୱର ଭାବନା ନେଇ ଚାଲୁଥିବା ସଂଗଠନ। ସେ କହିଥିଲେ,
“ଆମ ପାଖରେ ପଦଭାର ଏକ ବ୍ୟବସ୍ଥା ମାତ୍ର, କିନ୍ତୁ କାର୍ଯ୍ୟଭାର ହେଉଛି ସାରା ଜୀବନର ଦାୟିତ୍ୱ।” ପ୍ରଧାନମନ୍ତ୍ରୀ ବିଜେପିର ପୂର୍ବତନ ଅଧ୍ୟକ୍ଷମାନଙ୍କ—ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାଣୀ, ମୁରଳୀ ମନୋହର ଜୋଶୀ, ଭେଙ୍କାୟା ନାୟଡୁ, ନିତିନ ଗଡକରୀ, ରାଜନାଥ ସିଂହ, ଅମିତ ଶାହ ଏବଂ ଜେ.ପି. ନଡ୍ଡାଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ
ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ନିଜର
ରାଜନୈତିକ ଯାତ୍ରାର ଉଲ୍ଲେଖ କରି କହିଥିଲେ ଯେ ତିନିଥର ପ୍ରଧାନମନ୍ତ୍ରୀ ହେବା କିମ୍ବା ୨୫ ବର୍ଷ
ଧରି ସରକାରର ନେତୃତ୍ୱ କରିବା ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ, ଏହାଠାରୁ ଅଧିକ ବଡ଼ ଗର୍ବ ହେଉଛି ତାଙ୍କ ପାଇଁ ବିଜେପିର ଜଣେ
କାର୍ଯ୍ୟକର୍ତ୍ତା ହେବା। ସେ କହିଥିଲେ ଯେ ନିତିନ ନବୀନ ସେହି ପିଢ଼ିର ପ୍ରତିନିଧି, ଯେଉଁ ପିଢ଼ି ରେଡିଓ ଯୁଗରୁ ଆରମ୍ଭ କରି ଆର୍ଟିଫିସିଆଲ୍
ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତର ଦୌରକୁ ଦେଖିଛି। ତାଙ୍କ ପାଖରେ ଯୁବ ଉର୍ଜା ସହିତ ଅନୁଭବ ମଧ୍ୟ
ରହିଛି।
ମୋଦି କହିଥିଲେ ଯେ ୨୧ମ
ଶତାବ୍ଦୀର ଆଗାମୀ ୨୫ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହି ସମୟ ମଧ୍ୟରେ
ହିଁ ବିକଶିତ ଭାରତର ନିର୍ମାଣ କରାଯିବ। ଏହି ଦୌରର ଆରମ୍ଭରେ ନିତିନ ନବୀନ ବିଜେପିର ଐତିହ୍ୟକୁ
ଆଗକୁ ନେଇଯିବେ।
ପ୍ରଧାନମନ୍ତ୍ରୀ ବିଜେପିର
ନିର୍ବାଚନୀ ସଫଳତାକୁ ଉଲ୍ଲେଖ କରି କହିଥିଲେ ଯେ ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସାଧାରଣତଃ
କଠିନ,
କିନ୍ତୁ ବିଜେପି ଏହି ଧାରଣାକୁ ଭାଙ୍ଗିଦେଇଛି। ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ବିହାର ସହିତ ଅନେକ ରାଜ୍ୟରେ ବିଜେପି ପୂର୍ବପେକ୍ଷା
ଆହୁରି ବଡ଼ ବହୁମତ ସହିତ ଜୟ ହାସଲ କରିଛି। ସେ କହିଥିଲେ ଯେ ବିଜେପିର “ଷ୍ଟ୍ରାଇକ୍ ରେଟ୍” ଅଦ୍ୱିତୀୟ।
ମୋଦୀ କହିଥିଲେ ଯେ ବିଜେପି
କ୍ଷମତାକୁ ସୁଖର ଉପକରଣ ଭାବେ ନୁହେଁ, ସେବାର ମାଧ୍ୟମ ଭାବେ ବ୍ୟବହାର କରିଛି। ଏହି କାରଣରୁ ଜନତାଙ୍କର ବିଶ୍ୱାସ
ଲଗାତାର ଭାବେ ଶକ୍ତିଶାଳୀ ହୋଇଛି। ଗତ ୧୧ ବର୍ଷରେ ବିଜେପି ହରିୟାଣା, ଆସାମ, ତ୍ରିପୁରା ଏବଂ ଓଡ଼ିଶାରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଠନ
କରିଛି। ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ବିଜେପି ଏକ ବଡ଼ ରାଜନୈତିକ ଶକ୍ତି ଭାବେ ଉଭା
ହୋଇଉଠିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା