
ନୟାଗଡ଼, ୨୦ ଜାନୁଆରୀ (ହି.ସ.)- ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ଅଂଚଳରୁ ୩ଟି ଟ୍ରକ୍ ଯୋଗେ ଅସନ ୪୦, ଧଉରା ୪୩ ଯାହାକି ମୋଟ୍ ୮୩ ଖଣ୍ଡ ରଥ କାଠ ପ୍ରଥମ ପର୍ଯ୍ୟାୟରେ ପୁରୀ ଅଭିମୁଖେ ଯାତ୍ରା କରିଛି । ଏନେଇ ଦଶପଲ୍ଲା ମହାବୀର ମନ୍ଦିର ପ୍ରାଙ୍ଗଣରେ ସକାଳେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା । ଟ୍ରକରେ ଯାଇଥିବା ରଥକାଠ ନୟାଗଡ଼ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପହଂଚିବା ପରେ ସେଠାରେ ମଧ୍ୟ ପୂଜା କରାଯାଇଛି । ଏଠାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା ପୂଜାରେ କର୍ତା ହୋଇଥିବା ବେଳେ ମହାନଦୀ ବନ୍ୟପ୍ରାଣୀ ଡିଏଫଓ, ଏସିଏଫ୍ ହିମାଂଶୁ ମୁଦୁଲିଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ । ପରେ ରଥକାଠ ବୋଝେଇ ଟ୍ରକ୍ ଗୁଡିକ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଛି । ତେବେ ଆଉ ବଳକା କାଠ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ