
ଧର୍ମଶାଳା,୨୦ ଜାନୁଆରୀ(ହି.ସ.) - ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତନ ଜାଗ୍ରତ କରାବା ଲକ୍ଷନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଗତକାଲି ଠାରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୨ ଗୋଟି ପଂଚାୟତର ଶ୍ରଦ୍ଧାଳୁମାନେ ତୀର୍ଥଯାତ୍ରାରେ ପୁରି ଯିବା ଲାଗି ବ୍ୟବସ୍ଥା କରାଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ୫୪ ଗୋଟି ପଂଚାୟତ ମଧ୍ୟରୁ ଗତକାଲି ପ୍ରଥମ ଦିନରେ ଦୁଇଗୋଟି ଭବାନୀପୁର ଏବଂ ଥାନୁଆଳ ପଂଚାୟତରୁ ପ୍ରାୟ ୬ ଶହ ଶ୍ରଦ୍ଧାଳୁଙ୍କୁ ୧୨ଗୋଟି ବସ୍ରେ ପୁରୀ ଜଗନ୍ନାଥ ଧାମ ନିଆଯାଇଥିଲା । ଏହିଭଳି ଭାବେ ୨ ମାସ ଧରି ସକାଳ ୭ ଘଟିକାରେ ଦୁଇଗୋଟି ପଂଚାୟତର ଶ୍ରଦ୍ଧାଳୁମାନଙ୍କୁ ନେଇ ତୀର୍ଥଯାତ୍ରା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଅଜି ମଙ୍ଗଳପୁର ଓ ରାଇଛନ୍ଦା ପଂଚାୟତରୁ ୬ ଶହ ଶ୍ରଦ୍ଧାଳୁ ୧୨ ଗୋଟି ବସ ଯୋଗେ ପୁରୀ ଅଭିମୁଖେ ଯାଇଛନ୍ତି । ଜାରକାସ୍ଥିତ ମହୋତ୍ସବ ପଡିଆରୁ ତୀର୍ଥଯାତ୍ରୀମାନେ ବାହାରୀ ପୁରୀ ଅଭିମୁଖେ ଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ଘରୁ ଜାରକା ପର୍ଯ୍ୟନ୍ତ ଅଣାଯିବାର ବ୍ୟବସ୍ଥା କରାଯାଇଛି । ପୁରି ଜଗନ୍ନାଥ ଦର୍ଶନ ଲାଗି ଯାଇ ପାରୁନଥିବା ଅବହେଳିତ ଗରିବ ଲୋକମାନଙ୍କ ଲାଗି ଧର୍ମଶାଳା ବିଧାୟକ ଶ୍ରୀ ସାହୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି । ବିଧାୟକଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ କାହ୍ନୁ ଚରଣ ଦାଶ,ଦେବରାଜ ମିଶ୍ର, ଆଲୋକ ଲେଙ୍କା, କଳ୍ପତରୁ ସାହୁ, ନିର୍ମଳ ପ୍ରଧାନ, ବୀର କିଶୋର ପାଢୀ, ପୂର୍ଣ୍ଣଚନ୍ଦ୍ର ଶତପତୀ,ଚିତରଞ୍ଜନ ଦାସ, ବିନ ପଲେଇ ପ୍ରମୁଖ ଟ୍ରଷ୍ଟର ବହୁ ସଦସ୍ୟ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବସ୍ ଯୋଗେ ପୁରୀ ଯିବାର ବନ୍ଦୋବସ୍ତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ