
ଭୁବନେଶ୍ୱର, ୨୦ ଜାନୁୟାରୀ (ହି.ସ)- ପୁରୁଣା ଭୁବନେଶ୍ୱର ମାଉସୀ ମା’ ମନ୍ଦିର (ରାମେଶ୍ୱର) ପାଖ ନିଗମାନନ୍ଦ ସାରସ୍ୱତ ଆଶ୍ରମରେ “ଉତ୍କଳୀୟ ପଞ୍ଚସଖା ଭଗବତ୍ ଆଖଡ଼ା” ମହାନିତ୍ୟ ପଦ୍ମଦଳ ହରିଓଁ ବାବା ମଠ ଟ୍ରଷ୍ଟ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଚଳିତମାସ ୨୫ ତାରିଖ ରବିବାର ଦିନ ମାଘ ସପ୍ତମୀରୁ ଆରମ୍ଭ ହୋଇ ଫେବୃୟାରୀ ୧ ମାଘ ପୂର୍ଣ୍ଣିମା ଦିନ ଉଦ୍ଯାପନ ହେବାକୁ ଥିବା ଏହି ବିଶ୍ୱପ୍ରସିଦ୍ଧ ମାଘମେଳାକୁ ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ସାଧୁସନ୍ଥମାନଙ୍କ ନିମନ୍ତେ ସୁରକ୍ଷା, ଖାଦ୍ୟ, ପାନୀୟ, ଜଳ, ଧ୍ୱନୀକୁଣ୍ଡ ପାଇଁ ସମୀଧ, ଘୃତ, ନୈବେଦ୍ୟ ସମେତ ସେମାନଙ୍କର ରହିବା ଓ ବିଶ୍ରାମ ନିମନ୍ତେ ସୁବ୍ୟବସ୍ଥା କରିବାକୁ ବିଷ୍ଣୁଗିରି ମହାରାଜ ଦାବି ଉପସ୍ଥାପନ କରିଥିଲେ । ଅଣାକ୍ଷର କ୍ରିୟାଯୋଗୀ ସ୍ୱାମୀ ଆନନ୍ଦରାଜ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପୋଷଣ କରିଥିଲେ । ଖଣ୍ଡଗିରି ମାଘ ମେଳାକୁ ରାଜ୍ୟ ସରକାର ନିଜସ୍ୱ ପରିଚାଳନାରେ ରଖି ସାଧୁମାନଙ୍କ ଆବଶ୍ୟକତା ଯୋଗାଇବା ସହିତ ଏହାକୁ ଅଧିକ ଲୋକପ୍ରିୟ କରିବାକୁ ଉଦ୍ୟମ କରନ୍ତୁ ବୋଲି ମତବ୍ୟକ୍ତ ରଖିଥିଲେ । ସେହିପରି ହରିଓଁ ବାବା ମଠ ଟ୍ରଷ୍ଟର ଅଧ୍ୟକ୍ଷ ହରିଓଁ ବାବା ମଧ୍ୟ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ମେଳାର ପ୍ରାଚୀନତାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର କାମ କରନ୍ତୁ ଓ ରାଜ୍ୟ ବାହାରୁ ଆସୁଥିବା ସାଧୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଉତ୍ତରପ୍ରଦେଶ ହରିଦ୍ୱାର ଋଷିକେଶ ପଞ୍ଚଦଶନାମୀ ଧୁନା ଆଖଡ଼ାର ଥାନପତି ମହନ୍ତ ଶ୍ରୀ ପ୍ରଶାନ୍ତ ଗିରି ମହାରାଜ ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ସାଧୁମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳୁନାହିଁ, ଯେପରି ଅନ୍ୟ ରାଜ୍ୟମାନଙ୍କରେ କୁମ୍ଭମେଳାରେ ସରକାର ହସ୍ତକ୍ଷେପ କରି ସୁବନ୍ଦୋବସ୍ତ କରୁଛନ୍ତି, ସେହିପରି ଓଡ଼ିଶା ସରକାର ସେଥିପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ । ଋଷିକେଶ ପଞ୍ଚଦଶନାମୀ ଧୁନା ଆଖଡାର ଥାନପତି ମହନ୍ତ ସାବନଗିରି ମହାରାଜ, ତାନେଶ୍ୱରୀ ପୀଠର ପୀଠାଧୀଶ ସ୍ୱାମୀ ଆଦିତ୍ୟାନନ୍ଦ ମହାରାଜ, ସ୍ୱାମୀ ଆନନ୍ଦ ଶଙ୍କର, ସ୍ୱାମୀ ଆନନ୍ଦ ସାଗର, ନାଗାସାଧୁ ସନ୍ତୋଷଗିରି ମହାରାଜ, ଶ୍ରଦ୍ଧାନନ୍ଦ ମହାରାଜ ଓ ଟ୍ରଷ୍ଟର ଉପସଭାପତି ପ୍ରଶାନ୍ତ ପାଢୀ (ପପୁନନା), ବଦାନ୍ୟ ବ୍ୟକ୍ତି ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଅନ୍ୟ ସାଧୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସମ୍ପାଦକ ପ୍ରଭାତ କୁମାର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା