
ନୂଆଦିଲ୍ଲୀ, 20 ଜାନୁଆରି (ହି.ସ.)- ଭାରତୀୟ ଜନତା
ପାର୍ଟି (ବିଜେପି)ର ନବନିର୍ବାଚିତ ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ତାଙ୍କର ପ୍ରଥମ ସମ୍ବୋଧନରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ ଯେଉଁ ବ୍ୟକ୍ତି
ଲୋକମାନଙ୍କ ଭାବନା ସହିତ ନିଜକୁ ଯୋଡ଼ିପାରେ, ସେହି ବ୍ୟକ୍ତି ହିଁ ବଡ଼ ହୋଇପାରେ। ଜଣେ କାର୍ଯ୍ୟକର୍ତ୍ତା ଭାବେ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶସେବାରେ କାମ କରୁଥିବା ଦେଖିଛି। ତାଙ୍କଠାରୁ ମୁଁ ଏହା ଶିଖିଛି
ଯେ,
ଯିଏ ନିଜକୁ ଜନସାଧାରଣଙ୍କ ଭାବନା ସହିତ ଯୋଡ଼ିପାରେ, ସେହି ବ୍ୟକ୍ତି ହିଁ ମହାନ ହୁଏ। ବିଜେପିରେ ରାଜନୀତି ହେଉଛି ପଦବୀ
ନୁହେଁ,
ଏକ ଦାୟିତ୍ୱ।
ନିତିନ ନବୀନ ମୋଦିଙ୍କ
ସହିତ ଏକ କାର୍ଯ୍ୟକ୍ରମରେ ହୋଇଥିବା ଆଲୋଚନାକୁ ସ୍ମରଣ କରି କହିଛନ୍ତି ଯେ,
“ମୋତେ ମନେ ପଡ଼େ, ଯେତେବେଳେ ମୁଁ ପ୍ରଥମଥର ପାଇଁ ଗୁଜରାଟର ଆଣନ୍ଦରେ ଆପଣଙ୍କ ସହିତ ଏକ
କାର୍ଯ୍ୟକ୍ରମରେ ଭାଗ ନେଇଥିଲି। ସେ ସମୟରେ ସଦ୍ଭାବନା ମିଶନ କାର୍ଯ୍ୟକ୍ରମ ସମୟରେ ଆପଣ
ପ୍ରତ୍ୟେକ ବ୍ୟକ୍ତିଙ୍କ କଥା ଗଭୀର ଧ୍ୟାନରେ ଶୁଣୁଥିବା ଦେଖିଥିଲି। କାର୍ଯ୍ୟକ୍ରମ ସମାପ୍ତ ହେବା
ପରେ,
ଯେତେବେଳେ ଆପଣ ଆମ ସହିତ ନିଜ କକ୍ଷରେ କଥାହେଲେ, ସେତେବେଳେ ଆପଣ ବଡ଼ ଭାବୁକତା ସହିତ ବୁଝାଇଥିଲେ ଯେ ଗୁଜରାଟରୁ ଏତେ
ଲୋକ କାହିଁକି ଆସିଥିଲେ। ସେହି ଦିନ ମୁଁ ବୁଝିଥିଲି ଯେ ଏକ ବ୍ୟକ୍ତି ସେତେବେଳେ ହିଁ ମହାନ ହୁଏ, ଯେତେବେଳେ ସେ ଜନତାଙ୍କ ଭାବନା ସହିତ ନିଜକୁ ଯୋଡ଼େ।”
ସେ କହିଛନ୍ତି ଯେ ଯଦି ଆଜି
ବିଜେପି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ହୋଇପାରିଛି, ତେବେ ତାହାର କାରଣ ହେଉଛି ଆମର ପ୍ରେରଣାଦାୟକ ନେତୃତ୍ୱ, ଆମର ବିଚାରଧାରା ଏବଂ କାର୍ଯ୍ୟକର୍ତ୍ତାମାନଙ୍କର ଅକ୍ଳାନ୍ତ ପରିଶ୍ରମ।
ସେହି କାର୍ଯ୍ୟକର୍ତ୍ତା, ଯିଏ ନିରନ୍ତର କାମ କରେ, ଯିଏ ସବୁଠାରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତର ଧ୍ୱଜକୁ ନଇଁବାକୁ ଦେଉନାହିଁ, ଯିଏ ଛାତି ଫୁଲାଇ କହେ— “ତେରା ବୈଭବ ଅମର ରହେ ମାଆ।”
ନବୀନ ବିରୋଧୀ ଦଳଗୁଡ଼ିକୁ
ଲକ୍ଷ୍ୟ କରି କହିଥିଲେ ଯେ ତାମିଳନାଡୁର ଏକ ପାହାଡ଼ ଉପରେ ପବିତ୍ର କାର୍ତ୍ତିଗୈ ଦୀପମ୍ ପର୍ବକୁ
ଅଟକାଇବା ପାଇଁ ପ୍ରୟାସ କରାଯାଇଥିଲା। ଏହା କୌଣସି ଏକମାତ୍ର ଘଟଣା ନୁହେଁ; ବିରୋଧୀ ଆହୁରି ଅନେକ ପରମ୍ପରା ଓ କାର୍ଯ୍ୟକ୍ରମକୁ ଅଟକାଇବା ପାଇଁ ଷଡଯନ୍ତ୍ର
ରଚିଛନ୍ତି। ଜଣେ ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ମଧ୍ୟ ପ୍ରୟାସ କରାଯାଇଥିଲା।
ସୋମନାଥରେ ଗୌରବ ପର୍ବ ପାଳନ କରାଯାଉଥିବାରୁ ବିରୋଧୀ ଦଳର ଲୋକମାନେ ଅସୁବିଧା ବୋଧ କରୁଛନ୍ତି।
ସେ କହିଥିଲେ ଯେ ଏପରି ପରମ୍ପରାକୁ ରୋକିବାକୁ ଚେଷ୍ଟା କରୁଥିବା ଶକ୍ତିମାନଙ୍କ ସାମ୍ନା କରିବା
ଅତ୍ୟାବଶ୍ୟକ। ସମସ୍ତଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ରାମ ସେତୁର ଅସ୍ତିତ୍ୱକୁ
ଅସ୍ୱୀକାର କରୁଥିବା ଏବଂ କାର୍ତ୍ତିଗୈ ଦୀପମ୍ ପର୍ବର ବିରୋଧ କରୁଥିବା ଲୋକମାନଙ୍କ ପାଇଁ ଭାରତୀୟ
ରାଜନୀତିରେ କୌଣସି ସ୍ଥାନ ନ ରହୁ।
ନବୀନ କହିଥିଲେ ଯେ ଆଗାମୀ
କିଛି ମାସରେ ତାମିଳନାଡୁ, ଆସାମ,
ପଶ୍ଚିମବଙ୍ଗ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ହେବାକୁ ଯାଉଛି ଏବଂ ଏହି
ରାଜ୍ୟଗୁଡ଼ିକର ଜନସାଂଖ୍ୟିକୀ ଗଠନ ଉପରେ ବ୍ୟାପକ ଆଲୋଚନା ଚାଲିଛି। ବଦଳୁଥିବା ଜନସାଂଖ୍ୟିକୀ
ସେଠାର ସ୍ଥିତିକୁ ପରିବର୍ତ୍ତନ କରୁଛି ଏବଂ ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେଲେ ମଧ୍ୟ, ସମ୍ପୂର୍ଣ୍ଣ ଆଶା ଅଛି ଯେ ବିଜେପିର କାର୍ଯ୍ୟକର୍ତ୍ତାମାନେ ନିଜ
ସଂଘର୍ଷ ଓ କଠିନ ପରିଶ୍ରମର ବଳରେ ଏହି ପାଞ୍ଚଟି ରାଜ୍ୟରେ ଦଳକୁ ସଫଳତା ଦେଇପାରିବେ।
ଉଲ୍ଲେଖନୀୟ ଯେ, ୧୯୮୦ ମସିହାରେ ଜନ୍ମିତ ନିତିନ ନବୀନ ତାଙ୍କର ରାଜନୈତିକ ଯାତ୍ରାର
ଭିତ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଠୋର ଶିଷ୍ଟାଚାର ଏବଂ ଅତୁଟ ରାଷ୍ଟ୍ରଭକ୍ତିରୁ ରଖିଥିଲେ।
ଗତ ଦୁଇ ଦଶନ୍ଧି ଧରି ସେ ନିଜର ପରିଶ୍ରମ ଓ ଦୂରଦର୍ଶିତା ଦ୍ୱାରା ବିଜେପି ସଂଗଠନରେ ଜଣେ ସାଧାରଣ
କାର୍ଯ୍ୟକର୍ତ୍ତାରୁ ଆରମ୍ଭ କରି ପୂର୍ଣ୍ଣକାଳୀନ ଜାତୀୟ ଅଧ୍ୟକ୍ଷ ପଦର ଗୁରୁତ୍ୱପୂର୍ଣ୍ଣ
ଦାୟିତ୍ୱ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ୨୦୦୬ ମସିହାରେ ସେ ପାଟନା ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ
ପ୍ରଥମଥର ପାଇଁ ବିଧାୟକ ହୋଇ ଜନସେବାର ସଂକଳ୍ପ ନେଇଥିଲେ ଏବଂ ବିହାର ସରକାରରେ ମନ୍ତ୍ରୀ ଭାବେ
ପଥ ନିର୍ମାଣ ଓ ନଗର ଉନ୍ନୟନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଭୂତପୂର୍ବ ସୁଧାର କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା