
ଝାରସୁଗୁଡ଼ା, ୧୦ ଅକ୍ଟୋବର (ହି.ସ.)- ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏବଂ ତାଙ୍କ ସହଧର୍ମିଣୀ ଡ. ଜୟଶ୍ରୀ କମ୍ଭମପତି ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ଗତକାଲି ରାତିରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଠାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରାଜ୍ୟପାଳ ଏବଂ ତାଙ୍କ ସହଧର୍ମିଣୀଙ୍କୁ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଏବଂ ଆରକ୍ଷୀ ଅଧୀକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜେମସ୍ ସମଦ ଓ ମଧୁଶିକ୍ତା ମିଶ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଆବଶ୍ୟକୀୟ ସମନ୍ୱୟ ରକ୍ଷା କରାଯିବା ସହ ଗସ୍ତ ସମ୍ବନ୍ଧୀୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସୁଚାରୁ ରୂପେ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ