
ପୁରୀ, ୧୦ ଅକ୍ଟୋବର (ହି.ସ.)- ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଶନିବାର ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ପିତୃ ପୁରୁଷଙ୍କୁ ପିଣ୍ଡଦାନ, ତିଳତର୍ପଣ କଲେ ପିତୃଲୋକ ଅନ୍ନ ଜଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି । ଚଳଚଂଚଳ ହୋଇଛି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ । ଶ୍ରୀମନ୍ଦିର ଉତର ଦ୍ୱାର ସମେତ ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡ, ମହୋଦଧି, ତୀର୍ଥ ପୁଷ୍କରିଣୀରେ ପିତୃଲୋକଙ୍କୁ ଶ୍ରାଦ୍ଧ ପିଣ୍ଡଦାନ କରିଛନ୍ତି । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହେବା ସହ ମୋକ୍ଷ ପ୍ରାପ୍ତି ହେବା ବିଶ୍ୱାସ ରହିଛି । ଏଥିପାଇଁ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୀମନ୍ଦିର ଉତର ଦ୍ୱାର, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି ।
ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ପରିଚିତ । ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ । ତେବେ ଏହି ପକ୍ଷର ଶେଷ ଦିନକୁ ମହାଳୟା କୁହାଯାଏ । ପିତୃପକ୍ଷ ତିଥିରେ ପିଣ୍ଡଦାନ କରିପାରିନଥିବା ଶ୍ରଦ୍ଧାଳୁ ମାନେ ଆଜି ପିଣ୍ଡଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି । ମହାଳୟାରେ ପିଣ୍ଡଦାନ କଲେ ପିତୃଲୋକଙ୍କ ଆଶୀର୍ବାଦ ମିଳିବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ