
ଏହା ରାହୁଲ ଗାନ୍ଧିଙ୍କ
ରାଜନୈତିକ ହତାଶାର ଚରମ ସୀମା
ଭୁବନେଶ୍ୱର, ୧୦ ଅକ୍ଟୋବର (ହି.ସ) - ମହାମହିମ
ରାଷ୍ଟ୍ରପତି ମହୋଦୟାଙ୍କ ସହ ସାକ୍ଷାତକୁ ନିଜ ଅଭିଯୋଗଗୁଡ଼ିକର ସ୍ୱୀକୃତି ଭାବେ ଉପସ୍ଥାପନ
କରିବା ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ରାଜନୈତିକ ହତାଶାର ଚରମ ସୀମା। ରାଷ୍ଟ୍ରପତି ପଦ
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମର୍ଯ୍ୟାଦାର ପ୍ରତୀକ,
କୌଣସି ରାଜନୈତିକ ଦଳର ଦାବି ଉପରେ ମୋହର ଲଗାଇବାର ମଞ୍ଚ ନୁହେଁ। ରାଷ୍ଟ୍ରପତି
ତାଙ୍କ ଅଭିଯୋଗଗୁଡ଼ିକୁ ସ୍ୱୀକାର କରିଛନ୍ତି ବୋଲି ପ୍ରଚାର କରିବା ଏକ ଦୁର୍ଭାଗ୍ୟଜନକ ସ୍ଥିତି।
ଏହା ତଥ୍ୟ ଅପେକ୍ଷା ରାଜନୀତି ଏବଂ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ଆଭିମୁଖ୍ୟକୁ ଅଧିକ
ପ୍ରତିଫଳିତ କରୁଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ
ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ, ରାହୁଲ
ଗାନ୍ଧୀ, କଂଗ୍ରେସ
ଏବଂ ବିରୋଧୀ ଦଳର ଦୋମୁହାଁ ନୀତିକୁ ଦେଶର ଜନତା ଦେଖୁଛନ୍ତି। ଜନତା ସମର୍ଥନନ କଲେ ନିର୍ବାଚନ
ନିରପେକ୍ଷ, ଆଉ ଜନତା
ପ୍ରତ୍ୟାଖ୍ୟାନ କଲେ ‘ଭୋଟ୍ ଚୋରି’ର ବିଳାପ। ଅର୍ଥାତ୍,
ଜନାଦେଶ ସେପର୍ଯ୍ୟନ୍ତ ଠିକ୍, ଯେପର୍ଯ୍ୟନ୍ତ ତାହା
ସେମାନଙ୍କ ସପକ୍ଷରେ ଯାଉଛି! ପ୍ରତ୍ୟେକ ପରାଜୟ ପରେ ବାହାନା ଖୋଜିବା ପରିବର୍ତ୍ତେ କଂଗ୍ରେସ
ନିଜର ରାଜନୀତି, ନୀତି ଏବଂ ଜନସାଧାରଣଙ୍କ ମଧ୍ୟରେ ହ୍ରାସ ପାଉଥିବା ବିଶ୍ୱାସକୁ ନେଇ
ଆତ୍ମସମୀକ୍ଷା କରିବା ଉଚିତ।
ରାହୁଲ ଗାନ୍ଧୀ ଓ କଂଗ୍ରେସକୁ
ବୁଝିବାକୁ ହେବ ଯେ ଗଣତନ୍ତ୍ରର ପରିଭାଷା କଂଗ୍ରେସର ବିଜୟ କିମ୍ବା ପରାଜୟ ଅନୁସାରେ
ନିର୍ଦ୍ଧାରିତ ହୁଏ ନାହିଁ। ଗଣତନ୍ତ୍ରରେ ଜନସାଧାରଣଙ୍କ ନିଷ୍ପତ୍ତି ସର୍ବୋପରି। ବାରମ୍ବାର
ଜନାଦେଶକୁ ସନ୍ଦେହ ଘେରକୁ ଆଣିବା ଜନସାଧାରଣଙ୍କ ବିବେକ ଏବଂ ସେମାନଙ୍କ ମତଦାନ ଅଧିକାର—ଉଭୟର ଅପମାନ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା