
ଭୁବନେଶ୍ୱର, ୧୦
ଅକ୍ଟୋବର (ହି.ସ.)। ଭୁବନେଶ୍ୱରସ୍ଥିତ ରାସ୍ତା ଓ ଘର (ଆର୍ଆଣ୍ଡବି) ଡିଭିଜନ୍-୧
କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ମାମଲାରେ ଓଡ଼ିଶା
ଭିଜିଲାନ୍ସ ବିଭାଗ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ
ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କୋଷାଗାର କାର୍ଯ୍ୟାଳୟର ଜଣେ ବରିଷ୍ଠ ଲେଖାକାର ମଧ୍ୟ ଅଛନ୍ତି।
ତିନି ଜଣଙ୍କୁ ଭିଜିଲାନ୍ସ ମାମଲାର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ
ଭୁବନେଶ୍ୱର ଜିଲ୍ଲା କୋଷାଗାର କାର୍ଯ୍ୟାଳୟର ବରିଷ୍ଠ ଲେଖାକାର କୃଷ୍ଣଚନ୍ଦ୍ର ବେହେରା, ପୁରୀ
ଆର୍ଆଣ୍ଡବି ଡିଭିଜନ୍ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ଆଣ୍ଡବି ଡିଭିଜନ୍-୧ର
ପିଅନ କୁମୁଦ ସାହୁ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଏହି
ମାମଲାରେ ମୋଟ ୯,୨୪,୧୦,୧୯୩ ଟଙ୍କାର ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ରହିଛି। ଏହା
ପୂର୍ବରୁ ୨୭ ସେପ୍ଟେମ୍ବର ୨୦୨୬ରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସେକ୍ସନ ଅଫିସର ବନଲତା
ମହାନ୍ତି ଏବଂ ଆର୍ଆଣ୍ଡବି ଡିଭିଜନ୍-୧ର କନିଷ୍ଠ ସହାୟକ ବିଭୁଦତ୍ତ ନାୟକଙ୍କ ସମେତ ଛଅ ଜଣଙ୍କୁ
ଗିରଫ କରାଯାଇଥିଲା। ସେମାନଙ୍କୁ ନ୍ୟାୟିକ ହେପାଜତରେ ଜେଲ୍ ପଠାଯାଇଥିଲା।
ଏହି ଘଟଣାରେ ଭୁବନେଶ୍ୱର
ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୨୧/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮
ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରା ଅନୁଯାୟୀ ଏହି ମାମଲା ରୁଜୁ
କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
ଜାଲ୍ ବିଲ୍ ପାସ୍ କରାଇବା
ପାଇଁ କୋଷାଗାର କର୍ମଚାରୀଙ୍କୁ ଟଙ୍କା ଦେବା ଅଭିଯୋଗ
ତଦନ୍ତ ସମୟରେ ଜଣାପଡ଼ିଛି ଯେ
ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ନାୟକ ମାର୍ଚ୍ଚ ୨୦୨୫ରୁ ଜୁଲାଇ ୨୦୨୬ ମଧ୍ୟରେ ୧୧ ଥର ଫୋନ୍ପେ
ମାଧ୍ୟମରେ ବରିଷ୍ଠ ଲେଖାକାର କୃଷ୍ଣଚନ୍ଦ୍ର ବେହେରାଙ୍କ ଆକାଉଣ୍ଟକୁ ମୋଟ ୩.୯୦ ଲକ୍ଷ ଟଙ୍କା
ପଠାଇଥିଲେ। ଜାଲ୍ ଓ ଠକେଇପୂର୍ଣ୍ଣ ଭାବେ ପ୍ରସ୍ତୁତ ବିଲ୍ଗୁଡ଼ିକୁ କୌଣସି ଆପତ୍ତି ନ ଉଠାଇ
ପାସ୍ କରାଇବା ଉଦ୍ଦେଶ୍ୟରେ ଏହି ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା