
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ଓଡ଼ିଶାରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନକୁ ଦୃଷ୍ଟିରେ ରଖି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଛାତ୍ରହିତ ସଂକଳ୍ପ ପତ୍ର ଘୋଷଣା କରାଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ. ବୀରେନ୍ଦ୍ର ସିଂ ସୋଲାଙ୍କି ଏହି ସଂକଳ୍ପ ପତ୍ର ଜାରୀ କରିଛନ୍ତି।
ଏହି ସଂକଳ୍ପ ପତ୍ରରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରିସରରେ ସୁରକ୍ଷିତ ପରିବେଶ ସୃଷ୍ଟି, ମହିଳାଙ୍କ ସୁରକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ସୁବିଧା ଉପଲବ୍ଧ କରାଇବା ଭଳି ପ୍ରମୁଖ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି।
ସେହିପରି ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ, ଛାତ୍ରାବାସରେ ଉନ୍ନତ ବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।
ପରୀକ୍ଷା ଫଳାଫଳ ପ୍ରକାଶରେ ସ୍ୱଚ୍ଛତା ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ଓ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ମଧ୍ୟ ଏହି ସଂକଳ୍ପ ପତ୍ରରେ ସାମିଲ କରାଯାଇଛି।
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ସୁରକ୍ଷା ଓ ଶିକ୍ଷାଗତ ଉନ୍ନତିକୁ ପ୍ରାଥମିକତା ଦେଇ ଏବିଭିପି ଏହି ସଂକଳ୍ପ ପତ୍ର ମାଧ୍ୟମରେ ନିଜର ଛାତ୍ରହିତକୈନ୍ଦ୍ରିକ ଆଭିମୁଖ୍ୟ ଉପସ୍ଥାପନ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ