
ଜୟପୁର, ୧୧ ଅକ୍ଟୋବର(ହି.ସ.) – ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ରାଜନୈତିକ ସରଗରମ ହୋଇଉଠିଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଛାତ୍ର ସଂସଦରେ କଂଗ୍ରେସ ସମର୍ôଥତ ପ୍ରାର୍ଥୀମାନଙ୍କୁ ଖୋଲାଖୋଲି ସମର୍ଥନ ଘୋଷଣା କରିବା ସହ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। କୁଳପତି ଓ କୁଳସଚିବ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଥିବା ଏବଂ ପକ୍ଷପାତିତା କରୁଥିବା ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ବାହିନୀପତି ଛାତ୍ର ସଂଗଠନ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲେ। ସେଥିମଧ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥୀ ଭାବେ ରିଷଭ ସାଗରିଆ, ଉପସଭାପତି ପ୍ରାର୍ଥୀ ଭାବେ ବିଶ୍ୱରଞ୍ଜନ ବେନିଆ, ସାଧାରଣ ସମ୍ପାଦକ ଭାବେ ଶ୍ରୀକାନ୍ତ ଚୌଧୁରୀ ଏବଂ ଡ୍ରାମାଟିକ ସେକ୍ରେଟାରୀ ଭାବେ ଯୁବରାଜ ସିଂହ ରହିଛନ୍ତି। ଶ୍ରୀ ବାହିନୀପତି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ତାଙ୍କ ପରିବାର ଭଳି ଏବଂ ସେ ସର୍ବଦା ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଛିଡ଼ା ହୋଇଆସିଛନ୍ତି। ତେଣୁ ଶିକ୍ଷାନୁଷ୍ଠାନର ପ୍ରଗତି ଓ ସୁରକ୍ଷା ପାଇଁ ଏହି ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ବିଧାନସଭାଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତର ପର୍ଯ୍ୟନ୍ତ ସେ ଲଗାତାର ଲଢ଼େଇ କରିଥିବା ଶ୍ରୀ ବାହିନୀପତି ମନେ ପକାଇଥିଲେ। କ୍ୟାମ୍ପସରେ ନୂତନ କ୍ଲାସରୁମ୍, ଅଡିଟୋରିୟମ, ବିରାଟ ଲାଇବ୍ରେରୀ ନିର୍ମାଣ ସହିତ ବିଭିନ୍ନ ବିଭାଗରେ ପିଜି ଏବଂ ସ୍ନାତକ ପାଠ୍ୟକ୍ରମ ଖୋଲିବା ଦିଗରେ ତାଙ୍କର ଯୋଗଦାନ ରହିଥିବା କଥା କହିଥିଲେ। ଏଥିସହିତ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ସୁବିଧା, ବିଧାୟକ ପାଣ୍ଠିରୁ ପାନୀୟ ଜଳ ବୋରୱେଲ ଓ ବିଦ୍ୟୁତ୍ ବ୍ୟବସ୍ଥାର ସୁଧାର କରାଯାଇଛି। କ୍ୟାମ୍ପସ ମରାମତି ଓ ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨୦ କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ନୂତନ କୋଠା, ୪୦ ଏକର ପରିମିତ ଜମିରେ ଆଉ ଏକ କ୍ୟାମ୍ପସ ଏବଂ ଆମ୍ବାଗୁଡ଼ାଠାରେ ନୂତନ ନିର୍ମାଣ କାର୍ଯ୍ୟ କରାଯିବାର ଯୋଜନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟଶୈଳୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଧାୟକ କହିଛନ୍ତି ଯେ କୁଳପତି ନିରପେକ୍ଷ ନରହି ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଓ ସଂଗଠନ ଆଡ଼କୁ ଢଳୁଛନ୍ତି। ଅନ୍ୟ ପକ୍ଷର ପ୍ରାର୍ଥୀମାନଙ୍କୁ ପ୍ରଚାର ପାଇଁ ଅହେତୁକ ସୁଯୋଗ ଦିଆଯାଉଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରିବାକୁ ମଧ୍ୟ ସେ ଅନିଚ୍ଛା ପ୍ରକାଶ କରୁଛନ୍ତି।
ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା, କମ୍ପ୍ୟୁଟର ଅପରେଟର, କିରାଣୀ ଓ ଗ୍ରୁପ୍-ଡି କର୍ମଚାରୀ ନିଯୁକ୍ତିରେ ବାହାର ଜିଲ୍ଲାର ଲୋକଙ୍କୁ ପ୍ରାଥମିକତା ଦେବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ କରି ଶ୍ରୀ ବାହିନୀପତି କଡ଼ା ଚେତାବନୀ ଦେଇଛନ୍ତି। ଯଦି କୋରାପୁଟ ଜିଲ୍ଲାର ଯୋଗ୍ୟ ପିଲାମାନଙ୍କୁ ବଂଚିତ କରି ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଏ, ତେବେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି