
“କିମ୍ବଦନ୍ତୀଙ୍କ ୮୪ତମ ଜନ୍ମଦିନ! ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଅମିତାଭ ବଚ୍ଚନ ଜୀ!”
ଭୁୂବନେଶ୍ଵର , 11 ଅକ୍ଟୋବର (ହି.ସ.) ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଜୀଙ୍କ ୮୪ତମ ଜନ୍ମଦିନ ଅବସରରେ ତାଙ୍କୁ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ମାନସ କୁମାର ସାହୁ। ଏହି ଅବସରରେ ସେ ନିଜର ପୁରୀସ୍ଥିତ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରି ମହାନାୟକଙ୍କ ପ୍ରତି ନିଜର ଶ୍ରଦ୍ଧା, ସମ୍ମାନ ଓ ଭଲପାଇବା ପ୍ରକାଶ କରିଛନ୍ତି।
ଏହି ସୁନ୍ଦର କଳାକୃତିଟିକୁ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା। ନିଜର ନିଆରା କଳା ମାଧ୍ୟମରେ ସେ ଅମିତାଭ ବଚ୍ଚନଙ୍କ ଅସାଧାରଣ ଅଭିନୟ ଯାତ୍ରା, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଭାରତୀୟ ସିନେମା ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇଛନ୍ତି।
ଦୀର୍ଘ ଦଶନ୍ଧି ଧରି ନିଜର ଅଭିନୟ ଦକ୍ଷତା ଓ ସ୍ୱତନ୍ତ୍ର ଶୈଳୀରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ଅମିତାଭ ବଚ୍ଚନ ଆଜି ମଧ୍ୟ ଅସଂଖ୍ୟ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ବାଲୁକା ଆନିମେସନ୍ ମାଧ୍ୟମରେ ମାନସ ସାହୁ ମହାନାୟକଙ୍କ ଗୌରବମୟ ଯାତ୍ରା ଓ ଅମର କୀର୍ତ୍ତିକୁ ନିଜ କଳାରେ ଜୀବନ୍ତ ରୂପ ଦେଇଛନ୍ତି।
“କିମ୍ବଦନ୍ତୀଙ୍କ ୮୪ତମ ଜନ୍ମଦିନ! ଅମିତାଭ ବଚ୍ଚନ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ଗୌରବମୟ ଯାତ୍ରା, ଅସାଧାରଣ ପ୍ରତିଭା ଓ ଭାରତୀୟ ସିନେମା ପ୍ରତି ଅବଦାନ ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଉଥାଉ।”
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା