ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆରମ୍ଭ
Districts level competition in Jharsuguda
ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆରମ୍ଭ


ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.)

ଜିଲ୍ଲା ପ୍ରଶାସନ, ଝାରସୁଗୁଡ଼ା ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ (CTMS 2.0) ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ଆଜି, ତାରିଖ ୧୧.୧୦.୨୦୨୬ ରବିବାର ଠାରୁ ଆରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ଭବନ, ଝାରସୁଗୁଡ଼ାଠାରେ ଏହି ଚୟନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ତାରିଖ ୧୬.୧୦.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ଦୀର୍ଘ ଛଅ ଦିନ ଧରି ଚାଲିବ।

ଏହି ଚୟନ ପ୍ରକ୍ରିୟାରେ ଝାରସୁଗୁଡ଼ା ଜିଲ୍ଲାର ୫ ହଜାରରୁ ଊର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରିବେ। ଜିଲ୍ଲାର ସମୃଦ୍ଧ କଳା ଓ ସଂସ୍କୃତିର ପ୍ରଚାରପ୍ରସାର ସହ କଳାକାରମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଚୟନ ପ୍ରକ୍ରିୟାର ପ୍ରଥମ ଦିନରେ ମୋଟ ୩୩ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ରମେଶ ସୁନା, ନିକୁଞ୍ଜ ବିହାରୀ ମିଶ୍ର ଏବଂ ନର୍ମଦା ପ୍ରଧାନ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ ଦଳର ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ଆଜି ପାଲା, ସଂପର୍ଦା, ଦାସକାଠିଆ ଚୟନ କରାଯାଇଥିଲା

ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

ଏହି ଅବସରରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆଲିସ ପଟେଲଙ୍କ ସମେତ କର୍ମଚାରୀ ରାଜେଶ ସେଠ, ଧୀରଜ ରୋଶନ ପ୍ରଧାନ, ମୌସମ ପଟେଲ, ସମୀର କିଶାନ, କିଙ୍କନ ନାୟକ ଏବଂ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁରଙ୍ଗ ପଧାନ ପ୍ରମୁଖ ଉପସ୍ଥିତ ରହି ଚୟନ ପ୍ରକ୍ରିୟାର ସଫଳ ଆୟୋଜନରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande